ଜୀବନଚର୍ଯ୍ୟାସ୍ୱତନ୍ତ୍ର

ପୋଡା ବାସନରୁ ଦାଗ ଲିଭାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଖାଦ୍ୟ ପ୍ରସ୍ତୁତି ସମୟରେ ଅସାବଧାନତା ଯୋଗୁଁ ବାସନ ପୋଡିଯାଏ । ଏଥିରାଇଁ ବାସନ ଅପରିସ୍କାର ଦେଖାଯିବା ସହ ଆଉ ସେହି ପାତ୍ରରେ ଖାଦ୍ୟ ରାନ୍ଧିବା ସମ୍ଭବ ହୋଇନଥାଏ । ଏପରି ବାସନ ସହଜରେ ସଫା ହୋଇ ନଥାଏ। ଏହାକୁ ସଫା କରିବାକୁ ଅଧିକ ସମୟ ଲାଗିଥାଏ ଏବଂ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଯାହାକି ଗୃହିଣୀମାନଙ୍କ ପାଇଁ ଏକ ବଡ ସମସ୍ୟା । ତେବେ ଆପଣମାନେ ଏଥିପାଇଁ ଚିନ୍ତିତ ନହୋଇ କିଛି ଘରୋଇ ନୁସ୍କା ସାହାର୍ଯ୍ୟରେ ସମସ୍ତ ପ୍ରକାର ଦାଗକୁ ଏକ ଚୁଟକିରେ ହଟାଇପାରିବେ ।

ଆସନ୍ତୁ ଜାଣିବା ତାହା କ’ଣ.

ବେକିଙ୍ଗ ସୋଡା: ତେଲର ଦାଗ ଛଡ଼ାଇବା ନିମନ୍ତେ ଗରମ ପାଣିରେ କିଛି ବେକିଙ୍ଗ ସୋଡା ପକାଇ ଏହାକୁ ଏକ ବ୍ରସ୍‍ ମାଧ୍ୟମରେ ତେଲ ଚିକଟା ଥିବା ଜାଗାରେ ଭଲ ଭାବେ ଘଷି ୨୦ରୁ ୩୦ମିନିଟ ରଖନ୍ତୁ। ଏହା ପରେ ଏହାକୁ ଏକ କପଡ଼ା ସାହଯ୍ୟରେ ପୋଛି ଦିଅନ୍ତୁ। ଏହି ଚିକଟା ଅଂଶ ଭଲ ଭାବେ ସଫା ହୋଇଯିବ। କଡ଼େଇ ଅଥବା ଯେକୌଣସି ପାତ୍ରରେ ଥିବା ପୋଡ଼ା ଦାଗକୁ ସଫା କରିବାକୁ ହେଲେ ଗରମ ପାଣି କରି ସୋଡ଼ାକୁ ପକାଇ ସେହି ପୋଡ଼ା ଥିବା ପାତ୍ରରେ ଢାଳି ରଖନ୍ତୁ। ଏହି ଦାଗ ସହଜରେ ଛାଡ଼ି ଯିବ।

ଚା’ ଛଣା ଓ ଚା’କପ ଆଦିରେ ବହୁ ଦିନ ହୋଇଗଲେ ଦାଗ ହୋଇଯାଏ। ଏହି ଦାଗକୁ ଛଡ଼ାଇବାକୁ ହେଲେ ଏକ ପାତ୍ରରେ ୩ ଚାମଚ ବେକିଙ୍ଗ ସୋଡାରେ ଏକ ଚାମଚ ପାଣି ମିଶାଇ ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚା’ଛଣା, ଚା’ କପରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଭଲ ଭାବେ ସଫା ହୋଇଯିବ।

ପୋଡି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ ଗରମ ପାଣି ଢାଳନ୍ତୁ। ତାପରେ ଷ୍ଟିଲର ବାସନ ମଜାରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ପୋଡା ଦାଗ ଛାଡିବା ସହ ଚମକ ବଜାୟ ରହିଥାଏ।

ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତାପରେ ସେଥିରେ ଦୁଇ କପ ଗରମ ପାଣି ଢାଳନ୍ତୁ। ଏକ ବ୍ରଶ ସାହାର୍ଯ୍ୟରେ ପୋଡି ଯାଇଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଏପରି ସଫା କରିବା ଦ୍ୱାରା ପୋଡା ଦାଗ ଶୀଘ୍ର ଛାଡି ଯାଇଥାଏ।

ଲୁଣ: ପୋଡି ଯାଇଥିବା ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପାଣିକୁ ପ୍ରଥମେ ପୋଡି ଯାଇଥିବା ବାସନରେ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଆସ୍ତେ ଆସ୍ତେ ପୋଡା ଦାଗ ଉପରେ ଘଷନ୍ତୁ। ତାପରେ ଭଲ ପାଣିରେ ଧୋଇ ଦିଅନ୍ତୁ। ଆପଣ ଦେଖିବେ ବାସନରୁ ପୋଡା ଦାଗ ଭଲ ଭାବେ ଛାଡି ଯାଇଥିବ।

ଟମାଟୋ ରସ: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୋଡି ଯାଇଥିବା ବାସନରେ ଟମାଟୋ ରସ ଓ ପାଣି ମିଶାଇ ଫୁଟାନ୍ତୁ। ତାପରେ ତାକୁ ଅଳ୍ପ ଘଷି ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ସହଜରେ ଦାଗ ଛାଡି ଯାଇଥାଏ।

 

Show More

Related Articles

Back to top button