ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ମହଙ୍ଗା ହେଲା ରସଗୋଲା ଓ ଛେନାପୋଡ

ମହଙ୍ଗା ହେଲା ରସଗୋଲା । ଓଡ଼ିଶାରେ ରସଗୋଲା ପାଇଁ ପ୍ରସିଦ୍ଧି ଲାଭ କରିଥିବା ପାହାଳ ବଜାରରେ ମିଠାର ଦର ବୃଦ୍ଧି ହୋଇଛି। ଦିନକୁ ଦିନ ସବୁ ଖାଉଟି ସାମଗ୍ରୀର ଦରଦାମ୍ ବଢ଼ୁଥିବା ବେଳେ ପାହାଳ ରସଗୋଲା ବ୍ୟବସାୟୀ ସଂଘ ପକ୍ଷରୁ ମିଠାଦରକୁ ମଧ୍ୟ ବୃଦ୍ଧି କରାଯାଇଛି । କ୍ଷୀର ଦରବୃଦ୍ଧି ଯୋଗୁଁ ଛେନା ଦରରେ ବୃଦ୍ଧି ଘଟିଛି ଓ ଏହାର ପ୍ରଭାବ ମିଠା ବଜାର ଉପରେ ପଡ଼ିଛି ବୋଲି କୁହାଯାଉଛି ।

ବ୍ୟବସାୟୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଛେନା ଦର କିଲୋ ପ୍ରତି ୧୦ଟଙ୍କା ବଢ଼ିଥିବା ଯୋଗୁଁ ପାହାଳରେ ମିଠା ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ନିଜେ କ୍ଷୀରରୁ ଛେନା ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଛେନା କିଣି ମିଠା ତିଆରି କରନ୍ତି। ମିଠାର ଚାହିଦା ଅନୁସାରେ ବଜାରରେ ପର୍ଯ୍ୟାପ୍ତ ପରିମାଣର ଗାଈ କ୍ଷୀର ମିଳୁ ନଥିବାରୁ କିଛି ବ୍ୟବସାୟୀ ବାଧ୍ୟ ହୋଇ ଓମଫେଡ୍ କ୍ଷୀର କିଣି ଛେନା ପ୍ରସ୍ତୁତ କରନ୍ତି। ତେଣୁ କ୍ଷୀର ଦର ବୃଦ୍ଧି ହୋଇଥିବାରୁ ଛେନାର ମୂଲ୍ୟ ମଧ୍ୟ ଅନୁରୂପ ଭାବେ ବଢ଼ି ଯାଇଛି। ତେଣୁ ଯେଉଁ ରସଗୋଲା ପୂର୍ବରୁ ୫ଟଙ୍କା ଥିଲା, ତାହା ୬ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୧୦ଟଙ୍କା ମିଠା ୧୨ଟଙ୍କା, ଛେନାଗଜା ଏକ କିଲୋ ୧୮୦ଟଙ୍କା ଏବଂ ଛେନାପୋଡ଼ କିଲୋ ପିଛା ୨୫୦ଟଙ୍କାରେ ବିକ୍ରି ହେବ ବୋଲି ସଂଘ ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି। ଏହି ଦର ଗତକାଲିଠାରୁ ଲାଗୁ କରାଯାଇଛି। ଅପରପକ୍ଷେ ଦରବୃଦ୍ଧି କରିବା ସହ ବ୍ୟବସାୟୀମାନେ ମିଠାର ଆକାର ଛୋଟ କରି ଦେଇଥିବା ଗ୍ରାହକଙ୍କ ମହଲରେ ଅଭିଯୋଗ ହୋଇଛି।

Show More

Related Articles

Back to top button