ଓଡ଼ିଶାମୁଖ୍ୟ ଖବର

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇ ପାରିବନି ରଥଯାତ୍ରା

ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇପାରିବନି ରଥଯାତ୍ରା । ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା ।ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଓଡିଶାର ଅନ୍ୟ ସ୍ଥାନରେ ରଥାଯାତ୍ରା ଆୟୋଜନ କରିବାକୁ ଦାଖଲ ଆବେଦନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ଗତବର୍ଷ ତୂଳନାରେ ଚଳିତ ବର୍ଷ କରୋନା ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସ୍ଥିତି ଅଧିକ ଜଟିଳ ଥିବାରୁ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।ଓଡିଶା ସରକାର କୋଭିଡ୍ ପ୍ରୋଟୋକଲ ଆଧାରରେ କେବଳ ପୁରୀରେ ରଥ ଯାତ୍ରା ଆୟୋଜନ କରିବାକୁ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁମତି ଦେଇଛନ୍ତି। ତେଣୁ ଆମେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ବୋଲି ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି।ମୋତେ ମଧ୍ୟ ଏହି ରାୟ ଦେବାରେ ଦୁଃଖ ଲାଗୁଛି। କିନ୍ତୁ ମୁଁ ଆପଣଙ୍କୁ ସାହାଯ୍ୟ କରି ପାରିବ ନାହିଁ।

ଆଶା କରୁଛି ପ୍ରଭୁ ଜଗନ୍ନାଥ ଆସନ୍ତା ବର୍ଷ ସମସ୍ତଙ୍କୁ ରଥ ଯାତ୍ରା ଆୟୋଜନ କରିବାକୁ ଦିଅନ୍ତୁ। ପ୍ରଧାନ ବିଚାରପତି ଏହି ସଂପର୍କିତ ଆବେଦନ ଉପରେ କୌଣସି ଅର୍ଡର ପାରିତ କରିବାକୁ ମନା କରି ଦେଇଛନ୍ତି।ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସ୍ଥିତ ବଳଦେବଜୀଉଙ୍କ ରଥଯାତ୍ରା ଲାଗି ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା । ଦାୟର ପିଟିସନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ । ରାଜ୍ୟର ଆଉ କେତେକ ସ୍ଥାନରେ ରଥଯାତ୍ରା ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଥିଲା । ତେବେ ଏହିସବୁ ପିଟିସନର ଶୁଣାଣି କରି ରାଜ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କାଏମ ରଖିଥିଲେ ହାଇକୋର୍ଟ ।ଗତବର୍ଷ ସୁପ୍ରିମକୋର୍ଟ ପୁରୀରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ । ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପୁରୀରେ ରଥଯାତ୍ରା ପାଳନ ହେବ । ଚଳିତବର୍ଷ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଶେଷ ହୋଇଥିବା ବେଳେ ଅନୁରୂପ ଭାବେ ରଥଯାତ୍ରା ପାଳନ କରାଯିବ ।

Show More

Related Articles

Back to top button