ଦେଶ ବିଦେଶବାଣିଜ୍ୟ

ଇପିଏଫଓ: ଦେଶରେ ମହାମାରୀ ନେଇଛି ୪୦ ଲକ୍ଷ ଚାକିରୀ

ଶୁକ୍ରବାର ଇପିଏଫଓ ଜାରି କରିଥିବା ପେ ରୋଲ ଡାଟାରେ ମାସିକ ବେତନରୁ ଭବିଷ୍ୟନିଧି ଜମା କରୁଥିବା ଅନୁନ୍ୟ ୩୯ ଲକ୍ଷ ଲୋକେ ୭ ମାସରେ ବୃତ୍ତି ହରାଇଥିବା ଜଣାପଡିଛି

ଭାରତରେ କରୋନା ସଂକ୍ରମଣ ଯୋଗୁ ଗତ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନୁନ୍ୟ ୩୯ ଲକ୍ଷ ଲୋକେ ନିଯୁକ୍ତି ହରାଇଛନ୍ତି। ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଶୁକ୍ରବାର ଇପିଏଫଓ ଜାରି କରିଥିବା ପେ ରୋଲ ଡାଟାରେ ମାସିକ ବେତନରୁ ଭବିଷ୍ୟନିଧି ଜମା କରୁଥିବା ଅନୁନ୍ୟ ୩୯ ଲକ୍ଷ ଲୋକେ ୭ ମାସରେ ବୃତ୍ତି ହରାଇଥିବା ଜଣାପଡିଛି।ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ହରାଇଥିବା ଲୋକଙ୍କ ସଂଖ୍ୟାକୁ ବିଚାରକୁ ନେଇ ଜାରି ଏହି ଆକଳନକୁ ଦେଖିଲେ ଅଣ ସଂଗଠିତ ଓ ଅନ୍ୟ କ୍ଷେତ୍ରରେ କେତେ ଲୋକ ରୋଜଗାର ହରାଇଛନ୍ତି ତାହା ସହଜରେ ଅନୁମାନ କରାଯାଇପାରେ। ତେବେ ଯେଉଁ ଭବିଷ୍ୟନିଧି ଜମାକାରୀ କୋଭିଡ ଯୋଗୁ ବୃତ୍ତି ହରାଇଛନ୍ତି ସେମାନଙ୍କୁ ପୁଣି ଥରେ କର୍ମ କ୍ଷେତ୍ରକୁ ଫେରାଇ ଆଣିବା ଲାଗି ସରକାର ‘ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା’ କାର୍ଯ୍ୟକ୍ଷମ କରିବା ଲାଗି ବିଚାର କରୁଥିବା ଜଣାପଡିଛି।

ଯୋଜନା ଅନୁସାରେ ଯେଉଁସଂସ୍ଥା ଅକ୍ଟୋବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ଏପରି ଲୋକଙ୍କୁ ନିଯୁକ୍ତି ଦେବେ ସେପରି ସଂସ୍ଥାଙ୍କୁ ଇପିଏଫଓ ଯୋଗଦାନରେ ସମ୍ପୂର୍ଣ୍ଣ ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ନଭେମ୍ବର ୧୨ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ସରକାରଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଯେଉଁ ସଂସ୍ଥାମାନେ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ନିଯୁକ୍ତି ହରାଇଥିବା କର୍ମଚାରୀଙ୍କୁ କାର୍ଯ୍ୟରେ ନିଯୁକ୍ତ କରିବେ ସେପରି ସଂସ୍ଥାଙ୍କୁ ପିଏଫ ଯୋଗଦାନରେ ସବସିଡି ପ୍ରଦାନ କରାଯିବ ବୋଲି କହିଥିଲେ।ଅର୍ଥମନ୍ତ୍ରୀ କହିଥିଲେ ଯେ ଯୋଜନାରେ ସରକାର କମ୍ପାନୀ ପକ୍ଷରୁ ୧୨ ଓ କର୍ମଚାରୀଙ୍କ ପକ୍ଷରୁ ୧୨ ପ୍ରତିଶତ ଅର୍ଥ ଯୋଗଦାନ କରିବେ । ସରକାର ଜୁନ୍‌ ୨୦୨୧ ସୁଦ୍ଧା ଦେଶର ୫୦ରୁ ୬୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଲାଗି ସରକାର ଯୋଜନା ରଖିଛନ୍ତି। ଏହି ଯୋଜନାରେ ଯେଉଁ ସଂସ୍ଥା ନିଯୁକ୍ତି ହରାଇଥିବା ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ସେପରି ସଂସ୍ଥାଙ୍କୁ ପିଏଫଓ ଜରିଆରେ ୨ ବର୍ଷ ପର୍ଯ୍ୟନ୍ତ ଏହି ରିହାତି ମିଳିବ। ଯୋଜନା ଅନୁସାରେ ୫୦ କର୍ମଚାରୀରୁ କମ୍‌ ଲୋକଙ୍କ ସଂସ୍ଥାରେ ଅନୁନ୍ୟ ୨ଜଣଙ୍କୁ ନୂତନ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା କରିବାକୁ ପଡିବ। ତେବେ ଯାଇ ସଂସ୍ଥା ଯୋଜନାର ଲାଭ ପାଇପାରିବେ। ସେହି ପରି ୫୦ରୁ ଅଧିକ କର୍ମଚାରୀ କାମକରୁଥିବା ସଂସ୍ଥାରେ ୫ଜଣଙ୍କ ନିଯୁକ୍ତି ଲାଗି ନିୟମ ରହିଛି।

Show More

Related Articles

Back to top button