ଫଳରେ ଦେଶକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ବିଭିନ୍ନ ଯୋଜନାରେ ପ୍ରଶ୍ନବାଚୀ ଲାଗିଛି ଏବଂ ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାର ସଂକଟ ମଧ୍ୟକୁ ଟାଣିହୋଇଯାଇଥିବା ଆଶଙ୍କା ଦେଖାଦେଇଛି। ଗତ ମାର୍ଚ୍ଚ ମାସରେ ଲକ୍ଡାଉନ ଘୋଷଣା ହେବା ପରେ ଦେଶର ଗ୍ରାମାଞ୍ଚଳରେ ଲକ୍ଷଲକ୍ଷ ଲୋକ ଅନଟନର ଶିକାର ହୋଇଛନ୍ତି। ପରିଣତି ସ୍ବରୂପ, ଖୁଚୁରା କାମ ଧନ୍ଦା ଅନ୍ବେଷଣରେ ସଂଖ୍ୟାଧିକ ଶିଶୁ ସହରାଭିମୁଖୀ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଶିଶୁଶ୍ରମକୁ ପ୍ରୋତ୍ସାହିତ କରାଯାଇଛି। ମହାମାରୀ ଯୋଗୁଁ ସବୁ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ କଡ଼ାକଡ଼ି ନହେବା କାରଣରୁ ଶିଶୁ ଶ୍ରମିକ ଆଇନକୁ ଅଣଦେଖା କରାଯାଇଛି।ଏଭଳି ଅଭୂତପୂର୍ବ ପରିସ୍ଥିତି ଯୋଗୁଁ ଶିଶୁମାନଙ୍କୁ ଦୈନିକ ୧୪ରୁ ୧୬ ଘଣ୍ଟା ଯାଏ ଖଟିବାକୁ ବାଧ୍ୟ କରାଯାଉଛି। ଏପରିକି ସେମାନେ ଏଥିପ୍ରତି ଅନାଗ୍ରହ ଦେଖାଇଲେ ସେମାନଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଉଛି ବୋଲି ନୋବେଲ ବିଜେତା କୈଳାସ ସତ୍ୟାର୍ଥୀଙ୍କ ସଂସ୍ଥା ବଚପନ୍ ବଚାଓ ଆନ୍ଦୋଳନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଧନଞ୍ଜୟ ଟିଙ୍ଗାଲ କହିଛନ୍ତି।
ତେବେ ତାଙ୍କ ସଂସ୍ଥା ପକ୍ଷରୁ ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏପରି ନିର୍ଯାତନାର ଶିକାର ହୋଇଥିବା ୧,୧୯୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗତବର୍ଷ ଏହି ଅବଧି ଭିତରେ ତାଙ୍କ ସଂସ୍ଥା ୬୧୩ ଜଣ ଶିଶୁଙ୍କୁ ଉଦ୍ଧାର କରିପାରିଥିଲା। ସେହିପରି ଦୁସ୍ଥିତିରେ ପଡ଼ିଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଖୋଲିଥିବା ଫୋନ୍ ନମ୍ବରକୁ ଗତ ମାର୍ଚ୍ଚରୁ ଅଗଷ୍ଟ ଭିତରେ ୧,୯୨,୦୦୦ କଲ୍ ଆସିଥିବା ଜଣାଯାଇଛି। ସେଥିରୁ ସିଂହଭାଗ ହେଉଛି ଶିଶୁଶ୍ରମିକ ସଂକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଦେଶରେ ଶିଶୁଶ୍ରମିକ ପ୍ରଥା ବିରୋଧରେ ଯଥେଷ୍ଟ ସକାରାତ୍ମକ ପ୍ରାପ୍ତି ମିଳିଥିଲେ ହେଁ ୟୁନିସେଫ୍ର ତଥ୍ୟାନୁସାରେ ଅଦ୍ୟାବଧି ଦେଶରେ କୋଟିଏ ଶିଶୁ କେଉଁଠି ନା କେଉଁଠି ଏପରି ମୁଣ୍ଡ ଗୁଞ୍ଜି ପଡ଼ି ରହିଛନ୍ତି। ମହାମାରୀ ପାଇଁ ଏବେ ବି ଅଧିକାଂଶ ବିଦ୍ୟାଳୟ ବନ୍ଦ ରହିଛି ଯାହା ଦ୍ବାରା ୨୦ କୋଟି ଶିଶୁ ପ୍ରଭାବିତ ହୋଇଛନ୍ତି। ଶିକ୍ଷକମାନେ କେବଳ ଘରଘର ବୁଲି ଉପସ୍ଥାନ ଯାଞ୍ଚ କରିବା ସାର ହେଉଛି। କାରଣ ଅନ୍ଲାଇନ୍ ପାଠପଢ଼ା କୋଟି କୋଟି ପିଲାଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ନା ସେମାନେ ସ୍ମାର୍ଟଫୋନ୍ଟିଏ ପାଇପାରୁଛନ୍ତି ନା ଏହାର ଫାଇଦା ଉଠାଇ ପାରୁଛନ୍ତି।