ଦେଶ ବିଦେଶ

ରାମାୟଣର ସାତ-କାଣ୍ଡ ବିଷୟରେ ଆପଣ ଜାଣନ୍ତି କି ?

ଆସନ୍ତୁ ଜାଣିବା-

ରାମାୟଣର ସାତ-କାଣ୍ଡ ମନୁଷ୍ୟର ଉନ୍ନତିର ସପ୍ତ ସୋପାନ । ସନ୍ଥ ତୁଳସୀଦାସ ପ୍ରତ୍ୟେକ କାଣ୍ଡକୁ ସୋପାନ ନାମ ଦେଇଛନ୍ତି । ସୋପାନ ଅର୍ଥ ପାହାଚ । ଶ୍ରୀରାମଙ୍କ ପାଦପଦ୍ମକୁ ଯିବାକୁ ହେବ । ଏହି ସପ୍ତ-ସୋପାନ ମଣିଷକୁ ଶ୍ରୀରାମ ଯେଉଁଠାରେ ବିରାଜମାନ କରନ୍ତି – “ଆତ୍ମାରାମୋ ବିରାଜତେ” – ସେଠାକୁ ନେଇଯାଆନ୍ତି । ଶ୍ରୀରାମଙ୍କ ପାଦପଦ୍ମକୁ ନେଇଯାଆନ୍ତି । ପ୍ରତ୍ୟେକ କାଣ୍ଡର ନାମକରଣର ରହସ୍ୟ ମଧ୍ୟ ରହିଛି ।
ରାମାୟଣର ପ୍ରଥମ କାଣ୍ଡର ନାମ ବାଳକାଣ୍ଡ । ଭକ୍ତି ମାର୍ଗରେ ଅଗ୍ରଗାମୀ ହେବାକୁ ଇଚ୍ଛା ଥିଲେ ଆମକୁ ଶିଶୁଟିଏ, ବାଳକଟିଏ ଭଳି ହୋଇଯିବାକୁ ପଡ଼ିବ । ଜଗତରେ ଆମର ଜ୍ଞାନ ବଢ଼ୁ, ମାନ ବଢ଼ୁ, ଧନ ବଢ଼ୁ, ପରମାତ୍ମା ଆମକୁ ଅତି ସୁଖୀ କରିଥାଆନ୍ତୁ, ତେବେ ବି ମନକୁ ବାଳକାବସ୍ଥାରେ, ଶିଶୁତୁଲ୍ୟ ରଖିବା ଉଚିତ । ଯାହାର ମନ ଯେତେ ଶିଶୁସୁଲଭ ହୋଇଥାଏ ଭଗବାନ ତାହାକୁ ସେତେ ଅଧିକ ଭଲପାଆନ୍ତି । ଶିଶୁର ମନ ହେଉଛି ଅ-ମାନ । ତାକୁ ଅଭିମାନ ସ୍ପର୍ଶ କରେନାହିଁ । ଶିଶୁର ମନ ଆଉ ଦୃଷ୍ଟି ଏତେ ଶୁଦ୍ଧ ଯେ ତାକୁ ଦେଖୁଥିବା ଲୋକର ମନ ମଧ୍ୟ ବିଗିଡ଼େ ନାହିଁ । ଦୃଷ୍ଟି ଯେଉଁଭଳି ସୃଷ୍ଟି ସେହିଭଳି ହୋଇଥାଏ । ବାଳକଙ୍କ ଭଳି ନିଦେ୍ର୍ଦାଷ ନିର୍ବିକାର ଦୃଷ୍ଟି ରଖିଥିଲେ ଶ୍ରୀରାମଙ୍କ ସ୍ୱରୂପ ଚିହ୍ନିବାକୁ ସହଜ ହୁଏ । ବାଳକାଣ୍ଡ ନିରଭିମାନୀ ଓ ନିର୍ମୋହୀ ହେବା ଶିକ୍ଷାଦିଏ ।ବାଳକାଣ୍ଡ ପରେ ଆସେ ଅଯୋଧ୍ୟା କାଣ୍ଡ । ଯାହାର ମନ ବାଳକ ସୁଲଭ ହୋଇଯାଏ, ତାର ଶରୀର ଅଯୋଧ୍ୟା ହୋଇଯାଏ । ଅଯୋଧ୍ୟା ଅର୍ଥାତ୍ ଯେଉଁଠାରେ ଯୁଦ୍ଧ ନାହିଁ, କଳହ ନାହିଁ, ବୈରତା ନାହିଁ, ସ୍ୱାର୍ଥ ଭାବନା ନାହିଁ ଅଥବା ବିଷମତା ନାହିଁ, ସେହିଠାରେ ହିଁ ଅଯୋଧ୍ୟା ଥାଏ ଏବଂ ସେପରି ସ୍ଥାନକୁ ପ୍ରଭୁ ଶ୍ରୀରାମ ଅବତାର ରୂପେ ଆସନ୍ତି । ଭରତ, ଲକ୍ଷ୍ମଣ ଓ ଶତୃଘ୍ନ ମଧ୍ୟ ଆସନ୍ତି । କୈକେୟୀଙ୍କ ମନରେ ବିଷମତା ଜନ୍ମିଲା, ସେତେବେଳେ ଶ୍ରୀରାମ ଅଯୋଧ୍ୟା ଛାଡ଼ିଲେ । ନିବୈର ହେବା ପାଇଁ ଅଯୋଧ୍ୟା କାଣ୍ଡ ଶିକ୍ଷାଦିଏ । ଆମର କେହି ଶତ୍ରୁ ନାହାନ୍ତି କି ଆମେ କାହାର ଶତ୍ରୁ ନୋହୁଁ । ଏପରି ଦୃଢ଼ ନିଶ୍ଚୟ ଭାବ ମନରେ ରହିବା ଉଚିତ । ଜୀବନ ସ୍ୱଳ୍ପ କାଳର ରହଣୀ ମାତ୍ର । ତେଣୁ କାହାରି ସହ କଳହ ବିବାଦରେ ମୁହୂର୍ତ୍ତଟିଏ ବି ନଷ୍ଟ କରିବା ଅନୁଚିତ ।ଏହି ଜଗତ ସହିତ ଜୀବର ସମ୍ପର୍କ ପ୍ରକୃତ ସମ୍ପର୍କ ନୁହଁ । ଦିନେ ନା ଦିନେ ଆମକୁ ଜଗତର ସମ୍ବନ୍ଧ ଛାଡ଼ିବାକୁ ପଡ଼ିବ । ଆମର ପ୍ରକୃତ ସମ୍ବନ୍ଧ ତ ଅଛି ପରମାତ୍ମାଙ୍କ ସହିତ । ଆମେ “ସରଯୁ ନଦୀ’ ଅର୍ଥାତ୍ ଭକ୍ତିର କୂଳେକୂଳେ ରହିବା ଉଚିତ । ଏହାହିଁ ଅଯୋଧ୍ୟା କାଣ୍ଡ ଶିକ୍ଷାଦିଏ । ଭକ୍ତିର କୂଳରେ ରହିଲେ ହିଁ ଜୀବନ ନିବୈର ହୋଇପାରେ । ଭକ୍ତି ସତତ କରୁଥିବା ଦରକାର । ମନ ଈଶ୍ୱରଙ୍କ ପାଖରେ ଥିବ ଆଉ ଜୀବ ଈଶ୍ୱର ସ୍ମରଣ କରି କରି ଦେହତ୍ୟାଗ କଲେ ମୁକ୍ତି ମିଳେ । “ଜପ’ ଶେଷକାଳ ପର୍ଯ୍ୟନ୍ତ ଚଳାଇବା ଦରକାର । ଜପର ପୂର୍ଣ୍ଣାହୂତି ନାହିଁ କି ଭଜନର ସମାପ୍ତି ହୁଏନାହିଁ । ଭକ୍ତିର କୂଳରେ ରହିଲେ ଯୁଦ୍ଧ ହୁଏନାହିଁ । ଅଯୋଧ୍ୟା କାଣ୍ଡ ପ୍ରେମ ଦାନ କରେ । ପତି-ପତ୍ନୀ ଭିତରେ ପ୍ରେମ, ଭାଇ-ଭାଇ ଭିତରେ ପ୍ରେମ, ପିତା-ପୁତ୍ର ଭିତରେ ପ୍ରେମ, ରାଜା-ପ୍ରଜାଙ୍କ ଭିତରେ ପ୍ରେମ ରହିବା ଉଚିତ ।

ଅଯୋଧ୍ୟା କାଣ୍ଡ ପରେ ପଡ଼େ ଅରଣ୍ୟ କାଣ୍ଡ । ଅରଣ୍ୟକାଣ୍ଡ ନିର୍ବାସନା କରେ । ଧୀରେ ଧୀରେ ସଂଯମ ବଢ଼ାଇ ବାସନାକୁ ବିନାଶ କରିବା ପାଇଁ ଅଯୋଧ୍ୟା କାଣ୍ଡ ଶିକ୍ଷାଦିଏ । ନିବୈର ହୋଇଯିବା ପରେ ବି ବାସନା ହୀନସ୍ତା କରେ । କାମ ଭୋଗ ନିମନ୍ତେ ମନ ଆତୁର ହୁଏ । ଭୟ ଓ ଚିନ୍ତା ମଣିଷକୁ ବ୍ୟାକୁଳ କରେ । ବାସନା ଓ ଇଚ୍ଛା ମଣିଷକୁ ଦୁଃଖ ଦିଏ । ଯୋଗାବଶିଷ୍ଠରେ ଗୋଟିଏ ସ୍ଥାନରେ ଶ୍ରୀରାମ ବଶିଷ୍ଠଙ୍କୁ କହିଛନ୍ତି – ମୋ ମତରେ ସେ ହିଁ ପ୍ରକୃତ ଶୂରବୀର ଯିଏ ଏହି ଶରୀରରୂପୀ ସମୁଦ୍ରରେ ଉଠୁଥିବା ମନର ତରଙ୍ଗରାଶିକୁ, ମନର ଇଚ୍ଛା ଆକାଂକ୍ଷାକୁ, ମନର ବିକାର-ବାସନାକୁ ସଂଯମତାର ସହିତ ଅତିକ୍ରମ କରିଥାଏ । ଶ୍ରୀରାମ ବଣରେ ତପଶ୍ଚର୍ଯ୍ୟା କଲେ । ଶ୍ରୀରାମ ବନବାସ କାଳରେ ଧାତୁପାତ୍ର ସ୍ପର୍ଶ କରିନଥିଲେ । ସୀତା ସାଥୀରେ ଥିଲେ ବି ଶ୍ରୀରାମ ଥିଲେ ସମ୍ପୂର୍ଣ୍ଣ ନିର୍ବିକାରୀ । ରାମ ପୂର୍ଣ୍ଣ ଯୌବନାବସ୍ଥାରେ ବଣକୁ ଯାଇଥିଲେ । ବୃଦ୍ଧାବସ୍ଥାରେ ନୁହେଁ । ବୁଢ଼ା ହେଲେ ତୀର୍ଥ କରିବି, ଭଜନ କୀର୍ତ୍ତନ କରିବି ଏ ଭାବନା ଭ୍ରମାତ୍ମକ ଅଟେ । ଶରୀର ସୁସ୍ଥ ସବଳ ଥିବାବେଳେ ସଂଯମ ବଢ଼ାଇବା ଉଚିତ । ଶ୍ରୀରାମ ଯେବେ ବଣକୁ ଗଲେ ସେତେବେଳେ ତାଙ୍କୁ ୨୬ ବର୍ଷ ଓ ସୀତାଙ୍କୁ ୧୮ ବର୍ଷ ହୋଇଥିଲା । ଜଗତରେ ଯେତେ ସବୁ ବଡ଼ ବଡ଼ ସନ୍ଥ ମହାପୁରୁଷ ହୋଇଛନ୍ତି ସମସ୍ତେ ଅନେକ ବର୍ଷ ଧରି ଜଙ୍ଗଲରେ ତପସ୍ୟା କରିଛନ୍ତି । ବାସନାର ବିନାଶ ନିମନ୍ତେ କିଛିଦିନ ବିରକ୍ତ ସାଧୁଙ୍କ ସଙ୍ଗ ଲାଭ କରିବା ପାଇଁ ଜଙ୍ଗଲକୁ ଯିବା ଉଚିତ୍, ଏହାହିଁ ଅରଣ୍ୟକାଣ୍ଡ ଶିକ୍ଷାଦିଏ ।

ଅରଣ୍ୟକାଣ୍ଡ ପରେ ଆସେ କିସ୍କିନ୍ଧ୍ୟା-କାଣ୍ଡ । ଏହି କାଣ୍ଡରେ ଶ୍ରୀରାମ ସୁଗ୍ରୀବଙ୍କ ସହ ମିତ୍ରତା କଲେ । ଯାହାର କଣ୍ଠ ଓ ଗ୍ରୀବା ସୁନ୍ଦର, ସେ ହିଁ ସୁଗ୍ରୀବ । କଣ୍ଠ ବା ଗ୍ରୀବାର ଶୋଭା ଅଳଙ୍କାରରେ ନୁହେଁ ପ୍ରଭୁଙ୍କ ନାମ ଜପରେ, ଭଜନରେ ବଢ଼ିଥାଏ । ଜୀବ ପ୍ରଭୁଙ୍କ ନାମ ସତତ ଜପ କଲେ ପ୍ରଭୁ ଜୀବ ସହିତ ମିତ୍ରତା କରନ୍ତି । ଜୀବ ହେଉଛି ସୁଗ୍ରୀବ, ଶ୍ରୀରାମ ପରମାତ୍ମା । ଯେପର୍ଯ୍ୟନ୍ତ ମଣିଷ ମନରେ, ପ୍ରାଣରେ ଓ ଶରୀରରେ ବିଷୟାନନ୍ଦ ଥିବ ସେ ପର୍ଯ୍ୟନତ ବ୍ରହ୍ମାନନ୍ଦ ଆସିପାରିବ ନାହିଁ । ଶ୍ରୀରାମଙ୍କ ସହିତ ସୁଗ୍ରୀବଙ୍କର ମିତ୍ରତା ବୀର ହନୁମାନଙ୍କ ଯୋଗୁ ସମ୍ଭବ ହେଲା । ବୀର ହନୁମାନ ହେଲେ ବ୍ରହ୍ମଚର୍ଯ୍ୟର ପ୍ରତୀକ । ଅର୍ଥାତ୍ କିସ୍କିନ୍ଧ୍ୟା କାଣ୍ଡ ଏ କଥା ସୂଚାଇ ଦେଉଛି ଯେ ବ୍ରହ୍ମଚର୍ଯ୍ୟର ସହାୟତା ମିଳିଲେ ମଣିଷ ଈଶ୍ୱରଙ୍କ ସହିତ ମିତ୍ରତା କରିପାରେ । ବ୍ରହ୍ମଚର୍ଯ୍ୟ ବିନା ଭକ୍ତିରେ ଆନନ୍ଦ ନଥାଏ । ବ୍ରହ୍ମଚର୍ଯ୍ୟର ବଳ ମିଳିଲେ ମନ ଏକାଗ୍ରତା ପାଏ, ସ୍ଥିର ରହେ । ସେଥିପାଇଁ କୁହାଯାଏ, “କାମ’ ଆଉ ରାମ, କଂସ ଆଉ କୃଷ୍ଣ, ଆଲୋକ ଏବଂ ଅନ୍ଧାର ଉଭୟେ ଏକ ସ୍ଥାନରେ ରହିପାରନ୍ତି ନାହିଁ ।
କିସ୍କିନ୍ଧ୍ୟାକାଣ୍ଡ ପରେ ସୁନ୍ଦରକାଣ୍ଡ ପଡ଼େ । ଶରୀରର ସୁଖ, ଇନ୍ଦି୍ରଙ୍କ ସୁଖ ପାଇଁ ଯିଏ ଜୀବିତ ରହେ, ସେପରି ଜୀବନ ଜୀବନ ପଦବାଚ୍ୟ ନୁହେଁ । ପରୋପକାର ପାଇଁ ବଞ୍ଚôବା ହିଁ ଜୀବନ ।

କେହି ଧନ ପାଇଁ, କେହି ସ୍ତ୍ରୀ ପାଇଁ, କେହି ସ୍ୱାମୀ ପାଇଁ, କେହି ସଂସାର ସୁଖ ପାଇଁ ବଞ୍ଚôରହେ । ମାତ୍ର ପରୋପକାର ପାଇଁ, ପରମାତ୍ମାଙ୍କ ପାଇଁ ବଞ୍ଚôବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ । ପରମାତ୍ମାଙ୍କ ସହ ମିତ୍ରତା କଲେ ଜୀବନ ସୁନ୍ଦର ହୋଇଥାଏ । ସୁନ୍ଦରାକାଣ୍ଡରେ ହନୁମାନ ସମୁଦ୍ର ଲଂଘନ କରି ଲଙ୍କାକୁ ଗଲେ ଓ ପରାଭକ୍ତି ସ୍ୱରୂପିଣୀ ସୀତାଙ୍କ ଦର୍ଶନ ପାଇଲେ । ଯେଉଁଠି ପରାଭକ୍ତି ଥାଏ ସେଠାରେ ଶୋକ ରହିପାରେ ନାହିଁ । ତେଣୁ ସେହି ବାଟିକାର ନାମ ଅଶୋକବନ । ସୀତାଙ୍କ ଦର୍ଶନ କେବଳ ସିଏ ହିଁ ପାଇଥାଏ ଯିଏ ସଂସାରରୂପୀ ସାଗରକୁ ଲଂଘନ କରିଥାଏ । ସମୁଦ୍ର ଲଂଘନ କରିବା ସମୟରେ ହନୁମାନଙ୍କୁ “ସୁରସା’ ଉପରେ ବିଜୟ ହାସଲ କରିବାକୁ ପଡ଼ିଥିଳା । ସୁରସା ଅର୍ଥ ଜିହ୍ୱା ଅର୍ଥାତ ସିଏ ହିଁ ସଂସାରରୂପୀ ସାଗରକୁ ଲଂଘିପାରେ ଯିଏ ଜିହ୍ୱା ଉପରେ (ଖାଦ୍ୟ ସଞ୍ଜମ ଓ ବାକ୍ୟ ସଞ୍ଜମ) ନିୟନ୍ତ୍ରଣ ରଖିପାରେ । ପରାଭକ୍ତିକୁ ଦର୍ଶନ କଲେ ଜୀବନ ସୁନ୍ଦର ହୁଏ । ପରାଭକ୍ତିକୁ ଦର୍ଶନ କଲାପରେ ହନୁମାନ ଲଙ୍କା ଦହନ କଲେ । ଲଙ୍କାକୁ ଓଲଟାଇଲେ କାଳ, ଅର୍ଥାତ୍ ହନୁମାନ କାଳକୁ ବି ପୋଡ଼ିଦେଲେ । ହନୁମାନ ଅମର, ଚିରଞ୍ଜିବୀ । ତାଙ୍କୁ କାଳ ମାରିପାରେ ନାହିଁ । ହନୁମାନଙ୍କ ଜୀବନ ଭକ୍ତିମୟ, ସୁନ୍ଦର ।

ଏହାପରେ ଆସେ ଯୁଦ୍ଧକାଣ୍ଡ । ଯାହାର ଜୀବନ ସୁନ୍ଦର ସିଏ ହିଁ ରାକ୍ଷସକୁ ମାରିପାରେ । କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ହେଲେ ରାକ୍ଷସ । ଭକ୍ତି ଆରମ୍ଭ ହେଲେ ବିକାରରୂପୀ ରାକ୍ଷସମାନେ ମରିଥାନ୍ତି । କାମ କ୍ରୋଧରୂପୀ ବିକାର କେବେହେଲେ ସମୂଳେ ନାଶ ହୁଏନାହିଁ । ଜୀବନର ଅନ୍ତିମ ଜନ୍ମ ପର୍ଯ୍ୟନ୍ତ ଏହା ଅତି ସୂକ୍ଷ୍ମ ରୂପରେ ଥାଏ । କେବଳ ସତତ ଭକ୍ତି କରୁଥିବା ଲୋକର ଏହା ଉପରେ ବିଜୟ ହୋଇଥାଏ ।
ଯୁଦ୍ଧକାଣ୍ଡ ପରେ ଉତ୍ତରା-କାଣ୍ଡ ପଡ଼େ ।

ଯୁଦ୍ଧକାଣ୍ଡରେ ରାକ୍ଷସମାନଙ୍କ ବିନାଶ ହୋଇଯିବା ପରେ ଜୀବନ ମଙ୍ଗଳମୟ ହୁଏ । ଯିଏ ପୂର୍ବକାଣ୍ଡରେ ରାବଣକୁ ମାରେ ତାହାର ଉତ୍ତରକାଣ୍ଡ ସୁନ୍ଦର ହୋଇଥାଏ । ଅର୍ଥାତ୍ ଯୌବନ ଅବସ୍ଥାରେ ଯିଏ କାମ ଉପରେ ବିଜୟ ହାସଲ କରିଥାଏ ତାହାର ବୃଦ୍ଧାବସ୍ଥା ସୁଖମୟ ଶାନ୍ତିମୟ ହୋଇଥାଏ । ଅର୍ଥାତ୍ ଆତ୍ମାରାମୋ ବିରାଜତେ ବା ପରମଧାମରେ ତାକୁ ମୁକ୍ତି ଓ ଶାନ୍ତି ମିଳେ । ଉତ୍ତର କାଣ୍ଡରେ କାକଭୁଷୁଣ୍ଡି ଓ ଗରୁଡ଼ଙ୍କ ପ୍ରସଙ୍ଗ ବର୍ଣ୍ଣନା ହୋଇଛି । ଏଥିରେ ଜ୍ଞାନ ଭକ୍ତିର ମଧୁର ସମନ୍ୱୟ ଘଟିଛି ।

କେଉଁଠି କେଉଁଠି ବର୍ଣ୍ଣନା ଅଛି ରାମାୟଣ ହେଉଛି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ନାମ-ସ୍ୱରୂପ । ରାମାୟଣର ଗୋଟିଏ ଗୋଟିଏ କାଣ୍ଡ ପ୍ରଭୁଙ୍କର ଗୋଟିଏ ଗୋଟିଏ ଦିବ୍ୟ ଅଙ୍ଗ ତୁଲ୍ୟ ।

ବାଳ କାଣ୍ଡ – ଶ୍ରୀରାମଙ୍କର ଚରଣ
ଅଯୋଧ୍ୟା କାଣ୍ଡ – ଶ୍ରୀରାମଙ୍କର କଟି ପର୍ଯ୍ୟନ୍ତ
ଅରଣ୍ୟ କାଣ୍ଡ – ଶ୍ରୀରାମଙ୍କର ଉଦର
କିସ୍କିନ୍ଧ୍ୟା କାଣ୍ଡ – ଶ୍ରୀରାମଙ୍କର ହୃଦୟ
ସୁନ୍ଦରା କାଣ୍ଡ – ଶ୍ରୀରାମଙ୍କର କଣ୍ଠ
ଲଙ୍କା କାଣ୍ଡ – ଶ୍ରୀରାମଙ୍କର ମୁଖ
ଆଉ ଉତ୍ତରା କାଣ୍ଡ – ଶ୍ରୀରାମଙ୍କର ମସ୍ତକ

କେହି କେହି କହନ୍ତି, ରାମାୟଣ ହେଉଛି ଆମର ଶାସ୍ତ୍ର ବର୍ଣ୍ଣିତ ମହାନ୍ କଳ୍ପବୃକ୍ଷ ସଦୃଶ । ଯେପରି କଳ୍ପବୃକ୍ଷର ଛାୟାତଳେ ସଙ୍କଳ୍ପ କଲେ ତାହା ଫଳବତୀ ହୋଇଥାଏ, ସେହିପରି ସନ୍ଥ ତୁଳସୀ ଦାସଙ୍କ କଳିଯୁଗର ଚଳତ୍ମାନ ଏହି କଳ୍ପବୃକ୍ଷ ଆମ ଜୀବନର ଆଧ୍ୟାତ୍ମିକ ଅଭୀପ୍ସାକୁ ନିଶ୍ଚିତ ଭାବେ ଚରିତାର୍ଥ କରିବ । ଏହି କଳ୍ପବୃକ୍ଷର ମୂଳକାଣ୍ଡ ହେଉଛି ବାଳକାଣ୍ଡ । ଏହି ବୃକ୍ଷର ଉପରିଭାଗ ହେଉଛି ଅଯୋଧ୍ୟାକାଣ୍ଡ; ଅରଣ୍ୟକାଣ୍ଡ ହେଉଛି ଏହି ତତ୍ତ୍ୱର ଶାଖା ପ୍ରଶାଖା । କିସ୍କିନ୍ଧ୍ୟାକାଣ୍ଡ ହେଉଛି ଏହି ବୃକ୍ଷର ପତ୍ର । ସୁନ୍ଦରାକାଣ୍ଡ ହେଉଛି ଏହି ମହାନ୍ ବୃକ୍ଷର ପୁଷ୍ପ ଏବଂ ଲଙ୍କାକାଣ୍ଡ ହେଉଚି ଉପଯୁକ୍ତ ଫଳ । ଲଙ୍କା କାଣ୍ଡରେ ରାକ୍ଷାସମାନଙ୍କର ହତ୍ୟା ରାମାୟଣର ଫଳ କପରି ବୋଲି ସ୍ୱତଃ ମନରେ ପ୍ରଶ୍ନ ଉଠିପାରେ; କିନ୍ତୁ ଟିକିଏ ତଳେଇ ଚିନ୍ତାକଲେ । ଆମ ଜୀବନର ଚରମ ଲକ୍ଷ୍ୟ ହେଉଛି ମୁକ୍ତି; ତେଣୁ ରାକ୍ଷାସମାନଙ୍କୁ ନିପାତ କରି ଭଗବାନ ରାମଚନ୍ଦ୍ର ସେମାନଙ୍କୁ ମୁକ୍ତି ଦେଇଥିବାରୁ ଏହାକୁ ଫଳ ହିଁ କୁହାଯିବ । ରାମାୟଣର ଉତ୍ତରା କାଣ୍ଡରେ ଫୁଟି ଉଠିଛି ଉଚ୍ଚ ବିଚାରାଧାରାର ଅଭିବ୍ୟକ୍ତି । ଏହା ହେଉଛି ରାମାୟଣର ଅଭିବ୍ୟକ୍ତି । ଏହା ହେଉଛି ରାମାୟଣର ମସ୍ତିଷ୍କ । ସମ୍ପୂର୍ଣର୍ ରାମାୟଣକୁ ଚିପୁଡ଼ି ସନ୍ଥ ତୁଳସୀଦାସ ସଂଗୃହୀତ ରସକୁ “ଉତ୍ତରା କାଣ୍ଡ’ ନାମରେ ଏକ ସ୍ୱତନ୍ତ୍ର ପାତ୍ରରେ ସଂରକ୍ଷିତ କରିଛନ୍ତି ।

ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କ ସ୍ୱରୂପକୁ ସିନା ଗୁପ୍ତ ରଖିଛନ୍ତି, କିନ୍ତୁ ତାଙ୍କ ନାମକୁ ପ୍ରକଟ କରିଛନ୍ତି । ଦୁଧରେ ଲହୁଣୀ ପରି ପରମାତ୍ମା ସୂକ୍ଷ୍ମରେ ସମସ୍ତଙ୍କ ଠାରେ ରହିଥାନ୍ତି । ଅର୍ଥାତ୍ ପରମାତ୍ମା ନିର୍ଗୁଣ, ନିରାକାର, ପରମାତ୍ମାଙ୍କ ମଧୁର ନାମ ସହ ପ୍ରୀତି କରିବା ଜୀବନର ଧ୍ୟେୟ ହେଉ । ଜଗତ ପରମାତ୍ମାଙ୍କ ଅଧୀନରେ ଆଉ ପରମାତ୍ମା ନାମର ଅଧୀନରେ ଥାଆନ୍ତି । ପଭୁଙ୍କ ନାମ ଅତି ମଧୁର । ରାମ ନାମ ଅମୃତ, ରାମ କଥା ଅମୃତ । ନାମ ଅମୃତଠାରୁ ଅଧିକ ମଧୁର । କଥାମୃତ ପାପକୁ ଜଳାଏ, ନାମାମୃତ ଜୀବନକୁ ସୁଧାରେ । ଠିକ୍ ଯେପରି ଦସୁ୍ୟ ରତ୍ନାକର ହେଲେ ବାଲ୍ମିକୀ ମହର୍ଷି ଆଉ ଗଣିକା ପିଙ୍ଗଳା ହେଲା ଅବଧୂତଙ୍କ ଚବିଶି ଗୁରୁ ଭିତରୁ ଜଣେ ।

Tags
Show More

Related Articles

Back to top button
Close