Breaking PLUSଓଡ଼ିଶାମୁଖ୍ୟ ଖବର

ଅବପାତରେ ରୂପ ନେବ ଲଘୁଚାପ

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଘନୀଭୂତ ହେଉଛି । ଅବପାତ ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରବିବାର ଓ ସୋମବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ରବିବାର ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅଜାଡ଼ିପାରେ । ସୋମବାର ଉପକୂଳଠାରୁ ଆଭ୍ୟନ୍ତରୀଣ ଅଂଚଳରେ ବେଶି ବର୍ଷା ହେବ । ପାଣିପାଗ ବିଭାଗ କହିଛି, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ରହିଛି । ଏହା ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେବ । କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ୧୪ ଯାଏ ବର୍ଷା ହେବ । ତେବେ ଆସନ୍ତା ଦୁଇଦିନ ବର୍ଷା ପ୍ରକୋପ ବେଶି ରହିବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଲଗାଣ ବର୍ଷା ଯୋଗୁ ତଳି ଇଲାକାରେ ପାଣି ପଶିପାରେ । ଭୂତଳ ରାସ୍ତା ଜଳମଗ୍ନ ହେବା ଆଶଙ୍କା ଅଛି । ଏହାବାଦ୍‌ ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ।

ସୋମବାର ରାଜ୍ୟର ବହୁ ଅଞ୍ଚଳରେ ବର୍ଷା ଲାଗି ରହିବ । ଅନୁଗୁଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । କଳାହାଣ୍ଡି, କନ୍ଧମାଳ, କଟକ, ନୂଆପଡ଼ା, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ବର୍ଷା ପରିମାଣ ହ୍ରାସ ପାଇବ । ତଥାପି ଅନେକ ଜାଗାରେ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ତେଣୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ୧୨ରୁ ୧୪ ତାରିଖ ସମୁଦ୍ର ଅଧିକ ଅଶାନ୍ତ ରହିବ । ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ହୋଇପାରେ । ଗତ ୨୪ ଘଣ୍ଟାରେ (ଶନିବାର ସକାଳ ୮ଟା ୩୦ ସୁଦ୍ଧା) ବାଣପୁରରେ ୧୦୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ମଦନପୁର ରାମପୁରରେ ୮୩ ମିମି, କେନ୍ଦ୍ରାପଡ଼ାରେ ୩୯, ସୋରଡ଼ାରେ ୪୦.୬, ରାଇରଙ୍ଗପୁରରେ ୫୮, ଦେବଗଡ଼ରେ ୩୮ ମିମି ବର୍ଷା ହୋଇଥିଲା । ଆଜି ସକାଳ ୮ଟା ୩୦ରୁ ଅପରାହ୍ନ ସାଢ଼େ ୫ଟା ମଧ୍ୟରେ କୋରାପୁଟରେ ୩୫ ମିମି, ନୟାଗଡ଼ରେ ୨୪.୩ ମିମି ବର୍ଷା ହୋଇଥିଲା ।

Show More

Related Articles

Back to top button