କମିଛି ତାତି, ରାଜ୍ୟ ତମାମ ପାରଦ ଖସିଛି
ଉପକୂଳ ପରେ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା, ପବନ ଜାରି ରହିଛି

ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏଥିଯୋଗୁ ଗରମ ପ୍ରକୋପ କମ୍ ରହିବ । ୧୦ରୁ ପୁଣି ଗରମ ବଢ଼ିବା ସମ୍ଭାବନା ଅଛି ।ବୁଧବାର ରାଜ୍ୟର ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ତଳେ ଥିଲା । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ଥିବାବେଳେ ମାଲକାନଗିରି ୩୯, ଟିଟିଲାଗଡ଼ ୩୯, ଭବାନୀପାଟଣା ୩୮.୫, ବଲାଙ୍ଗିର ୩୮, ସୋନପୁର ୩୮, ନୟାଗଡ଼ ୩୮, ସମ୍ବଲପୁର ୩୭.୯ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ବୁଧବାର ପୁଣି ବଢ଼ି ୩୭.୨ ଡିଗ୍ରୀ ଥିଲେ ମଧ୍ୟ ବିଶେଷ ଗରମ ନଥିଲା ।
କଟକରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଥିବାବେଳେ ବାକି ସବୁଠି ଆହୁରି କମ୍ ଥିଲା। ଉପକୂଳ ଓଡ଼ିଶାରେ ପାଗ କୋହଲା ଓ ଆଂଶିକ ମେଘୁଆ ଥିଲା । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଖରା କୋପ କମ୍ ରହିଥିଲା ।ଦାରିଙ୍ଗିବାଡ଼ିରେ ୪୭ ମିଲିମିଟର ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୩୩, କେନ୍ଦୁଝରରେ ୨୭ ମିମି ବର୍ଷା ହୋଇଛି । କଟକ, ବାଲେଶ୍ୱର, ଫୁଲବାଣୀ, ଟିଟିଲାଗଡ଼ରେ ବି ସନ୍ଧ୍ୟା ସୁଦ୍ଧା ସ୍ୱଳ୍ପ ବର୍ଷା ହୋଇଛି ।ପାଣିପାଗ ବିଭାଗ କହିଛି, ଗୁରୁବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ର ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ଅଛି । ଏଥିମଧ୍ୟରୁ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ଏବଂ ଧୂଳିଝଡ଼ ବହିପାରେ । ୯ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ସମ୍ଭାବନା ଅଛି ।