Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆସୁଛି ବାତ୍ୟା

ବଙ୍ଗୋପସାଗରରେ ଗୋଟାଉଛି ବଳ !

ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୭ରେ ଲଘୁଚାପ ସୃଷ୍ଟି ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । କିନ୍ତୁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ବାତ୍ୟା ହେବ କି ନାହିଁ, ସେ ଚିତ୍ର ସ୍ପଷ୍ଟ ହେଉନି ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ମଙ୍ଗଳବାର ଓ ବୁଧବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ୫ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ସୁଦ୍ଧା ଲଘୁଚାପ ହେବ । ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବ ଓ କେତେ ଘନୀଭୂତ ହେବ ସେ ନେଇ ପାଣିପାଗ ମଡେଲଗୁଡିକ ଭିନ୍ନ ପୂର୍ବାନୁମାନ କରୁଛନ୍ତି । ଲଘୁଚାପ ପରେ ଏହା ବିଶେଷ ଘନୀଭୂତ ହେବନି ବୋଲି ୟୁରୋପିଆନ୍‌ ମଡେଲ, ଅଷ୍ଟ୍ରେଲିଆନ୍‌ ମଡେଲ ଓ ଜର୍ମାନୀ ମଡେଲ ଆକଳନ କରିଛି । ଲଘୁଚାପ ପରେ ଏହା ପଶ୍ଚିମ ଆଡକୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର କୂଳକୁ ଗତି କରିବ । ଏହା କ୍ରମଶଃ ଦୁର୍ବଳ ହୋଇଯିବ । ଏନ୍‌ସିଇପି ଓ ଜିଏଫଏସ୍‌ ମଡେଲ କହୁଛି, ୭ରେ ଲଘୁଚାପ ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ମୁହାଁଇବ । ପରେ ଏହା ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର ଓ ବାଲାଂଦେଶ ଆଡ଼କୁ ଯିବ । ଦିଗ ନ ବଦଳାଇଲେ ଏହା ଦେଶର ପୂର୍ବ ଉପକୂଳ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଫନି ବାତ୍ୟା ଏପ୍ରିଲରେ ସୃଷ୍ଟି ହୋଇ ମେ ୩ରେ ପୁରୀ ଛୁଇଁଥିଲା । ଏପ୍ରିଲରେ ବାତ୍ୟା ଦେଶର ପୂର୍ବ ଉପକୂଳ ଛୁଇଁନଥାଏ । ଏଣୁ ଫନି ଏକ ବ୍ୟତିକ୍ରମ ଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁ ଅନେକ ବ୍ୟତିକ୍ରମ ସୃଷ୍ଟି ହେଉଥିବାରୁ ସୃଷ୍ଟି ହେବାକୁ ଥିବା ବାତ୍ୟାର ରୂପରେଖ କ’ଣ ହେବ ତାହା ଏବେଠାରୁ ସ୍ପଷ୍ଟ କହିହେବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ସେପଟେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବନି ।

ତେବେ ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ଗତ ଦୁଇ ଦିନ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ କୌଣସି ସ୍ଥାନରେ ବର୍ଷା ହୋଇନି । ମଙ୍ଗଳବାର ଓ ବୁଧବାର ପାଇଁ ମଧ୍ୟ ବର୍ଷା ପୂର୍ବାନୁମାନ ରହିଛି । ମଙ୍ଗଳବାର ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହୋଇପାରେ । ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି। ବଲାଙ୍ଗୀରରେ ସର୍ବାଧିକ ୪୨.୬ ଡିଗ୍ରୀ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ୪୨, ଝାରସୁଗୁଡାରେ ୪୦.୮, ଭବାନୀପାଟଣାରେ ୪୦.୬, ସୋନପୁରରେ ୪୦.୬ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପୁରୀ, ଭୁବନେଶ୍ୱର, କଟକ, ଗୋପାଳପୁର, ଚାନ୍ଦବାଲିରେ ତାତି କମ୍‌ ରହିଛି ।

Show More

Related Articles

Back to top button