ଓଡ଼ିଶାମୁଖ୍ୟ ଖବର

ଆସୁଛି ବାତ୍ୟା

ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ

ଶୀତରେ ଆସୁଛି ବାତ୍ୟା । ଭୀଷଣ ରୂପ ନେଇ ଆସନ୍ତା ୪ ତାରିଖ (ଶନିବାର) ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବ । ପବନ ବହିବ ୧୦୦ କିମିରୁ ଅଧିକ ବେଗରେ । ପ୍ରବଳରୁ ପ୍ରବଳତର ବର୍ଷା ଅଜାଡ଼ିବ ସାରା ଉପକୂଳ ଓଡ଼ିଶାରେ । ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶା । ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ ।

ମଙ୍ଗଳବାର ସକାଳ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିଯିବ । ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଆସନ୍ତା ୨ ତାରିଖରେ ଏହା ଅବପାତ ରୂପ ନେବ । ଆହୁରି ଘନୀଭୂତ ହୋଇ ୩ ତାରିଖ (ଶୁକ୍ରବାର) ବାତ୍ୟାରେ ପରିଣତ ହେବ । ବାତ୍ୟାର ନାଁ ରହିବ ‘ଜୋୱାଦ୍‌’ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି)ର ଅଧିକାଂଶ ମଡେଲ ଆକଳନ କରିଛନ୍ତି ଯେ, ଏହା ଆହୁରି ବଳ ଜୁଟାଇ ଭୀଷଣ ବାତ୍ୟା ରୂପ ନେଇପାରେ ।

ସାଧାରଣତଃ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ହେଲେ ପବନ ବେଗ ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିଥାଏ । ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ତାମିଲନାଡ଼ୁ ଆଡ଼କୁ ମୁହାଁଇବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମରେ ଆନ୍ଧ୍ର-ଓଡ଼ିଶାକୁ ମୁହାଁଇବ । ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପାଖରେ ଥିବ ବାତ୍ୟା । ଶନିବାର ହିଁ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ ।

ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବାର ଅଧିକ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାକୁ ଏହା ପ୍ରଭାବିତ କରିବ । ପ୍ରବଳ ବର୍ଷା ସହ ପବନ ବି ହେବ । ତେବେ ସ୍ଥଳଭାଗ ଛୁଇଁବା ନେଇ ଏବେଠାରୁ ନିର୍ଦ୍ଦିଷ୍ଟ ଆକଳନ କରିହେବନି । ଆସନ୍ତା ୩ ରାତିରୁ ବର୍ଷା ଆରମ୍ଭ ହେବା ସହ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ଓ ମଝିରେ ମଝିରେ ପବନ ଧକ୍କା ୬୫ କିମି ଛୁଇଁପାରେ ।

୪ ତାରିଖ ଅପରାହ୍ନରୁ ୫ ତାରିଖ ଭୋର ପର୍ଯ୍ୟନ୍ତ ୭୦-୮୦ କିମି ଓ ସର୍ବାଧିକ ୯୦ କିମି ବେଗରେ ପବନ ମାଡ଼ ହୋଇପାରେ । କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ଏବଂ ୭୨ ଘଣ୍ଟା ପରେ ପୁଣି ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ମୁହାଁଇବ ।

ଗୋଟିଏ ସମ୍ଭାବନା ହେଲା ଯେ ଏହା ଓଡ଼ିଶାକୁ ମୁହାଁଇବ । ଦିଗ ବଦଳାଇବା ପୂର୍ବରୁ ଉପକୂଳର ଅଧିକ ନିକଟତର ହେବ । ଶ୍ରୀକାକୁଲମରୁ ପୁରୀ ଭିତରେ ସ୍ଥଳଭାଗ ଛୁଇଁ ଓଡ଼ିଶାର ଗଞ୍ଜାମ ଓ ପରେ ଉପକୂଳ ଜିଲ୍ଲା ଏବଂ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ଉପକୂଳର ସମାନ୍ତରାଳରେ ସ୍ଥଳଭାଗରେ ଗତି କରି ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି ।

Show More

Related Articles

Back to top button