Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅଧିକ ଖବର ଜାଣିବା ନିଶା ବଢାଏ ମାନସିକ ଅବସାଦ

ଦେଖାଦିଏ ଶାରୀରିକ ସମସ୍ୟା

ଖବର ଜାଣିବା ପାଇଁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ସଦାବେଳେ ଇଣ୍ଟରନେଟରେ ଖବର ଚେକ୍ କରିବା ଦ୍ୱାରା ମାନସିକ ଚାପ ବଢିଥାଏ । ଏହାସହ ଶାରୀରିକ ସମସ୍ୟା ମଧ୍ୟ.ଦେଖିବାକୁ ମିଳେ । ଏକ ନୂଆ ଗବେଷଣାରେ ଏହା ସାମ୍ନାକୁ ଆସିଛି । ହେଲଥ୍ କମ୍ୟୁନିକେସନ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ଧରି ଲୋକେ ଲଗାତର ଭାବେ କରୋନା, ଯୁଦ୍ଧ, ଧାରଣା, ବନାଗ୍ନୀ ଆଦି ଖରାପ ଖବର ଦେଖୁଛନ୍ତି । ଫଳରେ ଏହା ଲୋକଙ୍କୁ ଶକ୍ତିହୀନ ଓ ଭ୍ରମିତ କରିଦେଉଛି । ଯେଉଁମାନେ ୨୪ ଘଣ୍ଟା ଧରି ଖବରରେ ବୁଡି ରହୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେଉଛି । ଏହା ହେଉଛି ଖବର ପ୍ରତି ନିଶାର ଏକ କାରଣ । ଧିରେଧିରେ ଏହା ଶରୀର ଉପରେ ଗୁରୁତର ପ୍ରଭାବ ପକାଏ । ଟେକସାସ ୟୁନିଭର୍ସିଟି କଲେଜ ଅଫ୍ ମିଡିଆ ଆଣ୍ଡ କମ୍ୟୁନିକେସନର ପ୍ରଫେସର ବ୍ରାଏନ ମ୍ୟାକଲାଫଲିନ୍ କହିଛନ୍ତି ଯେ, ଅନେକ ଲୋକେ ଖବରକୁ ଚାହିଁ ବସିଥାନ୍ତି । ଏପରି ଖରାପ ଖବର ଦ୍ୱାରା ସେମାନେ ବିଶ୍ୱରେ ଶାନ୍ତି ନଥିବା ଓ ବିପଜ୍ଜନକ ସ୍ଥାନ ମନେ କରନ୍ତି । ଏହା ସତ୍ତ୍ୱେ ସେମାନେ ବାରମ୍ବାର ଖବର ଚେକ୍ କରିଥାନ୍ତି ।

ପ୍ରାୟ ୧୧୦୦ରୁ ଅଧିକ ଆମେରିକୀୟଙ୍କ ଉପରେ ଅଧ୍ୟୟନ କରି ସେ ଏହି ପ୍ରମାଣ ପାଇଥିବା କହିଛନ୍ତି । ଗବେଷଣାରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ନ୍ୟୁଜକୁ ହିଁ ଦୁନିଆ ଭାବିଥିବା, ଚାରିପଟେ ଥିବା ବିଶ୍ୱକୁ ଭୁଲି ଯାଇଥିବା ନେଇ ସମ୍ମତି ପ୍ରକାଶ କରିଥିଲେ । ଆଉ କେହି ଖବର ଦେଖିବା ପରେ ବାରମ୍ବାର ଖବର ଦେଖିବାକୁ ଇଚ୍ଛା ହେଉଥିବା ଓ ଏହାକୁ ସେ ରୋକିପାରୁନଥିଲେ । ଆହୁରି ମଧ୍ୟ ଖବର ଦେଖିବା ପରେ କଣ ଚାପ, ପ୍ରତିକୂଳ ପ୍ରଭାବ ବାବଦରେ ପ୍ରଶ୍ନ ପଚରାଯାଇଥିଲା । ସର୍ଭେରେ ଭାଗ ନେଇଥିବା ୧୬ ପ୍ରତିଶତ ଗୁରୁତର ସମସ୍ୟାର ସାମ୍ନା କରୁଥିବା ପ୍ରକାଶ କରିଥିଲେ । ଏପରିକି ସେମାନେ ସାଙ୍ଗସାଥୀ, ପରିବାର ଲୋକଙ୍କୁ ସମୟ ଦେଇପାରୁନଥିବା ଓ ଭଲରେ କଥାବାର୍ତ୍ତା କରୁନଥିବା କହିଥିଲେ । ଆଉ କେହି ପାଠପଢାରେ, ସ୍କୁଲ, କାମରେ ଫୋକସ କରିପାରୁନଥିବା ମାନିଥିଲେ ।୭୩.୬ ପ୍ରତିଶତ ଖବର ଦେଖିବା ପରେ ମାନସିକ ଅବସାଦକୁ ଚାଲି ଯାଉଥିବା ପ୍ରକାଶ କରିଥିଲେ । ଲାଫଲିନ୍ କହିଛନ୍ତି ଯେ, ଲୋକେ ଭଲ ଖବର ଚାହୁଁଛନ୍ତି । ଫଳରେ ଖବର ସହ ଦର୍ଶକଙ୍କ ଏକ ସୁସ୍ଥ ସମ୍ପର୍କ ପ୍ରତିଷ୍ଠା ହୋଇପାରିବ । ଯଦି ସଂସ୍ଥାମାନେ ଲୋକଙ୍କୁ ଖବରରେ ବାନ୍ଧି ରଖିବାକୁ ଚାହୁଁଛନ୍ତି ତେବେ ଭଲ ଖବର ଦେଖାଇବା ଜରୁରୀ । ନଚେତ ଏହା ମସ୍ତିସ୍କର ସ୍ୱାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରିବ । ପୂର୍ବରୁ ଅନେକ ଗବେଷଣାରେ ସମାନ ତଥ୍ୟ ସାମ୍ନାକୁ ଆସିଥିଲା । କିଛି ବ୍ୟକ୍ତି କରୋନା ସମ୍ବନ୍ଧୀୟ ଖବର ଅଧିକ ଦେଖୁଥିଲେ । ଏହି ଖବର ସେମାନଙ୍କ ଧ୍ୟାନକୁ ଅଧିକ ଆକର୍ଷିତ କରୁଥିଲା । ଯାହା ଧିରେଧିରେ ବିଭିନ୍ନ ମାନସିକ ରୋଗର କାରଣ ପାଲଟିଥିଲା । ତେବେ ଖବରକୁ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରାଯାଏ । ଖବର ମାଧ୍ୟମରେ ଦର୍ଶକଙ୍କୁ ସୁରକ୍ଷା, ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧୀୟ ତଥ୍ୟ ଓ ସତର୍କତା ବାବଦରେ ସୂଚନା ଦିଆଯାଏ । ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଖବରର ବଡ ଭୂମିକା ରହିଛି । ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ସାରା ବିଶ୍ୱ ଅର୍ଥନୈତିକ ଚାପର ସମ୍ମୁଖୀନ ହେଉଛି । ଏହାମଧ୍ୟରେ ପ୍ରଯୁକ୍ତିବିଦ୍ୟା ଖୁବ୍ ବିକଶିତ ହୋଇଛି । ସାମ୍ବାଦିକମାନେ ମଧ୍ୟ ୨୪ ଘଣ୍ଟା ଆଲର୍ଟ ରହୁଛନ୍ତି । ସେମାନେ ଖବରଯୋଗ୍ୟ ଖବର ପରିବେଷଣ କରିବା ଦରକାର । କିନ୍ତୁ କିଛି ଲୋକ ଅଧିକ ବିବାଦ ଓ ଡ୍ରାମା ଥିବା ଷ୍ଟୋରୀ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହା କେବଳ ସେମାନଙ୍କୁ ଏପରି ଖବର ଆଡକୁ ଟାଣିନଥାଏ ବରଂ ବାରମ୍ବାର ଏପରି ଅନୁପଯୁକ୍ତ ଖବର ଦେଖିବାକୁ ପ୍ରରୋଚିତ କରିଥାଏ। ଏଥିରୁ ଜଣାପଡୁଛି ଯେ, ବାଣିଜ୍ୟିକ ଉଦ୍ଦେଶ୍ୟ ଚାପରେ କାମ କରୁଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥା କେବଳ ବୈଶ୍ୱିକ ବାତାବରଣକୁ ହାନୀ ପହଁଚାଉନାହାଁନ୍ତି । ବରଂ ବ୍ୟକ୍ତିଗତ ଭାବେ ଦର୍ଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛନ୍ତି ।

Show More

Related Articles

Back to top button