
ରବିବାରଠୁ ଦେଶର ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ବୁଷ୍ଟର ଦିଆଯିବ । ଏହାର ଗୋଟିଏ ଦିନ ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ନିଜର ବୁଷ୍ଟଡ ଡୋଜର ମୂଲ୍ୟ ହ୍ରାସ କରିଛନ୍ତି। ଶନିବାର କୋଭାକ୍ସିନ ଏବଂ କୋଭିଶିଳ୍ଡ ନିଜର ନୂଆ ଦର ଜାରି କରିଛନ୍ତି। ପୂର୍ବରୁ କୋଭିଶିଳ୍ଡର ବୁଷ୍ଟର ଡୋଜ ୬୦୦ ଟଙ୍କା ଥିଲା, ଏବେ ଥିରେ ବଡ଼ ହ୍ରାସ କରାଯାଇ ୨୨୫ ଟଙ୍କା କରାଯାଇଛି। ସେହିପରି କୋଭାକ୍ସିନର ବୁଷ୍ଟର ଡୋଜର ମୂଲ୍ୟ ମଧ୍ୟ ୨୨୫ ଟଙ୍କା କରାଯାଇଛି। ପୂର୍ବରୁ କୋଭାକ୍ସିନର ବୁଷ୍ଟର ଡୋଜର ମୂଲ୍ୟ ୧୨୦୦ ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ ସମ୍ପର୍କରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ ଘରୋଇ ଟିକାକରଣ କେନ୍ଦ୍ର ଟିକାକରଣ ସେବା ଶୁଳ୍କ ରୂପେ ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ବୋଲି ସ୍ଥିର କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ, ଜଣେ ବ୍ୟକ୍ତି ପ୍ରଥମ ଦୁଇଟି ଡୋଜ ଯେଉଁ ଟିକାର ନେଇଥିବ ପ୍ରିସକନ ଡୋଜ ମଧ୍ୟ ସେହି ଟିକାର ଦିଆଯିବ। ବୁଷ୍ଟର ଡୋଜ ପାଇଁ ଅଲଗା ପଞ୍ଜିକରଣର ଆବଶ୍ୟକତା ନାହିଁ। ସରକାର କହିଛନ୍ତି, ସମସ୍ତ ଲାଭାର୍ଥୀ ପୂର୍ବରୁ ହିଁ କୋୱିନରେ ପଞ୍ଜିକୃତ ଅଛନ୍ତି।