Breaking PLUSଦେଶମୁଖ୍ୟ ଖବର

ଖ୍ରୀଷ୍ଟିଆନଙ୍କୁ ଅଭିଯୋଗ: ବିଭିନ୍ନ ରାଜ୍ୟରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଅଭିଯୋଗକୁ ପ୍ରମାଣିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ନିର୍ଦ୍ଦେଶ

ଦେଶର ବିଭିନ୍ନ ରାଜ୍ୟରେ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ନେଇ ଜନସ୍ୱାର୍ଥ ମାମଲା ଦାୟର ହେବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ବିଭିନ୍ନ ରାଜ୍ୟରୁ ରିପୋର୍ଟ ଆଣିବାକୁ କେନ୍ଦ୍ର ଗୃମହମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ରିପୋର୍ଟ ମଗାଇବାକୁ ଗୃହମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟସ୍ତରରେ ହୋଇଥିବା ଆକ୍ରମଣ ଘଟଣାକୁ ତଦନ୍ତ କରି ସତ ବାହାର କରିବାକୁ ଗୃହମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଡିୱାଇ ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ବ୍ୟକ୍ତିଗତ ଆକ୍ରମଣର ଅର୍ଥ ନୁହେଁ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା। ଏ ବିଷୟରେ ସ୍ପଷ୍ଟତା ଆସିବା ନିହାତି ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଜନସ୍ୱାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଓକିଲ କୋଲିନ ଗନସାଲେଭେସ ଏନେଇ କୋର୍ଟରେ ନିଜ ତର୍କ ରଖିଛନ୍ତି। ସେ କହିଛନ୍ତି ଯେ ୨୦୨୧ରେ ଏହିଭଳି ୫୦୫ଟି ମାମଲା ହୋଇଥିଲା। ହେଲେ ଚଳିତ ବର୍ଷ ଏହି ମାମଲା ଏବେଠାରୁ ୨୦୦ ପାର୍ କଲାଣି ବୋଲି କୋଲିନ ଗନସାଲେଭେସ କହିଛନ୍ତି। ଏହି ତର୍କର ଉତ୍ତରରେ ସରକାରୀ ଓକଲି ତୁଷାର ମେହେଟ୍ଟା କହିଛନ୍ତି “ ଆମେ ଆମ ସତ୍ୟପାଠରେ ସ୍ପଷ୍ଟ ରୂପରେ କହିଛୁ ଯେ ଆମେ ଏନେଇ ଯାଞ୍ଚ କରିଛୁ। ଏଥିରେ ଜଣାପଡ଼ିଛି ଯେ ଆବେଦନରେ କରାଯାଇଥିବା ଅଧିକାଂଶ ଅଭିଯୋଗ ଭିତ୍ତିହୀନ ଓ ୱେବ୍‌ ପୋର୍ଟାଲ୍‌ରେ ପ୍ରକାଶିତ ହୋଇଥିବା ସେଲ୍‌ଫ-ସର୍ଭିଂ ଆର୍ଟିକଲ୍‌ର ତଥ୍ୟ ଉପରେ ଆଧାରିତ। ଯଦି ଏଭଳି ମାମଲାଗୁଡ଼ିକ ଶୁଣାଯିବ ତେବେ ପାଣ୍ଡୋରା ବକ୍ସ ଖୋଲି ସବୁ ମାମଲାକୁ ଉଚ୍ଚ ନ୍ୟାୟାଳୟ ସମ୍ମୁଖରେ ଅଣାଯିବ।” ଜନସ୍ୱାର୍ଥ ମାମଲା ବିରୋଧରେ କେନ୍ଦ୍ର ସରକାର କୋର୍ଟରେ ସତ୍ୟାପାଠ ଦାଖଲ କରିଥିଲେ। ଏଥିରେ ଧାର୍ମିକ ହିଂସା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭ୍ରମିତ ଓ ଅତିରଞ୍ଜିତ ବୋଲି କେନ୍ଦ୍ର ସରକାର କହିଛନ୍ତି।

ମାମଲାରେ ପକ୍ଷ ରଖି ଗନସାଲ୍‌ଭେ କହିଛନ୍ତି ଯେଉଁମାନେ ଏହି ଆକ୍ରମଣର ଶିକାର ହୋଇଛନ୍ତି ଆମେ ସେମାନଙ୍କର ପ୍ରତିକ୍ରିୟା ନେଇଛୁ। କୋର୍ଟ ଚାହିଁଲେ ସେମାନଙ୍କର ମତ ନେଇପାରିବେ। ଏଥିରେ ଆମର କୌଣସି ଆପତ୍ତି ନାହିଁ। ତେବେ କିଛି ମାମଲାରେ ଅଭିଯୋଗ କେବଳ ଔପଚାରିକ ଭାବେ ଥିଲା ବୋଲି ଗନସାଲେଭ କହିଛନ୍ତି। ଗନ୍‌ସାଲ୍‌ଭେଙ୍କ ଏହି ଯୁକ୍ତିର ଉତ୍ତର ରଖି ତୁଷାର ମେହେଟ୍ଟା କହିଛନ୍ତି ଯେ ଆମେ ପ୍ରତ୍ୟେକ ମାମଲା ଫେକ୍ଟ ଚେକ୍ କରିଛୁ। କୌଣସି ପୀଡ଼ିତ ନା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନା ଆଇନଗତ ସହଯୋଗ ଲୋଡ଼ିଛନ୍ତି। ତେଣୁ ଆବେଦନ କର୍ତ୍ତାଙ୍କ ପାଖରେ କିଭଳି ଏମିତି ରିପୋର୍ଟ ଆସିଲା ବୋଲି ଶ୍ରୀ ମେହେଟା ପ୍ରଶ୍ନ କରିଛନ୍ତି। ପକ୍ଷ ବିପକ୍ଷର ତର୍କ ଶୁଣିବା ପରେ ଖଣ୍ଡପୀଠ କୌଣସି ସରକାରୀ ଓକଲିଙ୍କୁ କହିଥିଲେ ଯେ ଏନେଇ କୋର୍ଟ କୌଣସି ବିଚାର କରି ନାହାନ୍ତି। ତେବେ ପୁନାୱାଲାଙ୍କର ନିର୍ଦ୍ଦେଶକୁ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାର ଜାଣିବାକୁ ଏହିସବୁ ଘଟଣାର ତଦନ୍ତ କରିବାକୁ କୁହାଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଥିପାଇଁ ସବିଶେଷ ତଥ୍ୟଯୁକ୍ତ ଏକ ରିପୋର୍ଟ ତିଆରି କରି ଦୁଇ ମାସ ଭିତରେ ପୈଠ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ରାଷ୍ଟ୍ରୀୟ ଏକତା ମଞ୍ଚର ଡ. ପିଟର ମଚାଡୋ, ଇଭାନଜେଲିକାଲ ଫେଲୋସିପ ଅଫି ଇଣ୍ଡିଆର ବିଜୟେଶ ଲାଲ୍ ଓ ଅନ୍ୟମାନେ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆବେଦନ କର୍ତ୍ତାମାନେ ଏନେଇ ପୀଡ଼ିତାଙ୍କ ପୂରା ତାଲିକା ବି ଜାରି କରି ଯାଞ୍ଚ କରିବାକୁ କହିଥିଲେ।

 

 

Show More

Related Articles

Back to top button