ଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ସମୀକ୍ଷା

ଲୋକଙ୍କ ଠାରୁ ନିୟମିତ ଫିଡ୍‌ବ୍ୟାକ୍‌ ଗ୍ରହଣ କରିବାକୁ ପରାମର୍ଶ

ରାଜ୍ୟରେ ମୋ ସରକାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ଷେତ୍ରରେ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇବା । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକଙ୍କ ଠାରୁ ଅଧିକରୁ ଅଧିକ ଫିଡବ୍ୟାକ୍ ନେବାକୁ କହିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ପ୍ରଶାସନ 5-T ନୀତି ଦ୍ବାରା ପରିଚାଳିତ ଏବଂ ଏହା ଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି, ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡ଼ା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୁପାନ୍ତର ଆଜି କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି ।

ସେହିଭଳି ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି 5-T ସଚିବ ଭି.କେ.ପାଣ୍ଡିଆନ୍ କହିଥିଲେ, ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ବ । ସେମାନେ ଯେଭଳି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ । ତେବେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି । ଆଉ ମାସେ ଭିତରେ ୨୫୦ଟି ସେବା ଅନ୍ତୁର୍ଭୁକ୍ତ ହେବ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨କୋଟି ଲୋକଙ୍କ ଡାଟାବେସ୍ ରଖାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Show More

Related Articles

Back to top button