ଓଡ଼ିଶା

ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ

ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଯାଜପୁର ଏବଂ ନୟାଗଡ଼ରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରକୁ ଆକ୍ରମଣ ହୋଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିଛନ୍ତି । ସେ ଏ ନେଇ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ‘ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଆଜି ମଧ୍ୟ ଅନେକ ସ୍ଥାନରେ ହିଂସା ଏବଂ ସାମ୍ବାଦିକ ଭାଇଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଶେଷତଃ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣର ଦୃଶ୍ୟ ମୋତେ ବ୍ୟଥିତ କରିଛି’ ।

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ, ଯାହା ଦୁଃଖ ଓ ପରିତାପର ବିଷୟ । ରାଜନୀତିରେ ବାଦବିବାଦ ରୁହେ କିନ୍ତୁ ହିଂସାର ସ୍ଥାନ ନାହିଁ । ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରଶାସନର ଦାୟିତ୍ୱ ହେଉଛି ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା । ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତ୍ୱର ସହ ନେଇ କଠୋର ପଦକ୍ଷେପ ନିଅନ୍ତୁ ବୋଲି ସେ ଟ୍ୱିଟ୍‌ କରିଛନ୍ତି ।

Show More

Related Articles

Back to top button