ଦେଶ ବିଦେଶବାଣିଜ୍ୟ

ବଜେଟ୍ @୨୦୨୨

ଚାକିରୀ ଓ ରୋଜଗାର ଉପରେ ରହିପାରେ ବେଶୀ ଫୋକସ୍

ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀଙ୍କ ବଜେଟ ପେଡିକୁ ଚାହିଁ ରହିଛନ୍ତି ଦେଶର ସବୁ ବର୍ଗ । ଯୁବପିଢ଼ି ଚାକିରୀକୁ ଅନାଇଥିବାବେଳେ କର୍ମଜୀବୀ ଟିକସ ରିହାତି ଏବଂ ଗୃହିଣୀ ଦରଦାମରେ କୋହଳ ଚାହାନ୍ତି । ମୋଦୀ ସରକାରଙ୍କ ଏହା ଦଶମ ବଜେଟ ହୋଇଥିବା ବେଳେ ନିର୍ମଳାଙ୍କ ଚତୁର୍ଥ ବଜେଟ । ଦେଶ ଏବେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରୁଛି । ମହାମାରୀ ଅନେକ ଯୁବପିଢ଼ିଙ୍କୁ ବେକାର କରିଦେଇଛି । କୋଟି କୋଟି ଚାକିରୀ ଉଭାନ ହୋଇଯାଇଛି। ଲୋକଙ୍କ ଆୟ ବୃହତ୍‌ ମାତ୍ରାରେ ହ୍ରାସ ପାଇଛି । ଏଭଳି କ୍ଷେତ୍ରରେ ଏ ବଜେଟ୍‌ ଅନେକ ମାତ୍ରାରେ ଗୁରୁତ୍ୱ ବହନ କରୁଛି । ମହାମାରୀରେ ଛନ୍ଦି ହୋଇଥିବା ଅର୍ଥନୀତିକୁ ସମ୍ଭାଳିବାକୁ ପଡ଼ିବ । ଅନ୍ୟପକ୍ଷରେ, ୫ ରାଜ୍ୟରେ ନିର୍ବାଚନ । ଏଭଳି କ୍ଷେତ୍ରରେ ଭୋଟରକୁ ଅସନ୍ତୁଷ୍ଟ କରିବା ଆଗକୁ ମହଙ୍ଗା ପଡ଼ିପାରେ । ତେଣୁ ଏଥର ବଜେଟରେ ହାତେ ମାପି ଚାଖଣ୍ଡେ ଚାଲିପାରନ୍ତି ସରକାର ।ବଜେଟ୍‌କୁ ନେଇ ସମସ୍ତଙ୍କ ମନରେ କିଛି ନା କିଛି ଆଶା ରହିଛି । ଆୟ କିଛି ବଢୁ । ଖର୍ଚ୍ଚ କମିବା ସହ କିଛି ସଞ୍ଚୟ ହେଉ । ଆୟକର ରିହାତି ଚାହୁଁଛନ୍ତି ମଧ୍ୟବିତ୍ତ ବେତନଭୋଗୀ । ତେବେ ବିତ୍ତୀୟ ସମସ୍ୟାରେ ଥିବା ସରକାର ଆୟକରରେ ସେଭଳି କୌଣସି ଆଖିଦୃଶିଆ ରିହାତି ଦେଇ ନ ପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରମୁଖ ରାଜ୍ୟରେ ନିର୍ବାଚନ ରହିଛି । ବୃହତ୍‌ ଭାଗ ଭୋଟର ଗ୍ରାମାଞ୍ଚଳର, ଯେଉଁମାନେ କୃଷି ଉପରେ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ଗ୍ରାମୀଣ ବିକାଶମୂଳକ ଯୋଜନାଗୁଡ଼ିକର ବ୍ୟୟବରାଦ ବଢ଼ିପାରେ । ମନରେଗା ଏବଂ ଏଭଳି ଅନେକ ସ୍କିମ୍‌ରେ ପାଣ୍ଠି ବଢ଼ାଇ ସରକାର ଗ୍ରାମୀଣ ଅର୍ଥନୀତିକୁ ସବଳ କରିବେ ।

ବୃହତ୍‌ ମାତ୍ରାରେ ନିଯୁକ୍ତି ତିଆରି କରୁଥିବା କ୍ଷେତ୍ର ଯେପରି ହସ୍‌ପିଟାଲିଟି ଏବଂ ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ, ଗୃହନିର୍ମାଣ, ଅଟୋମୋବାଇଲ ଏବଂ ଲଜିଷ୍ଟିକ୍ସ ଉପରେ ସ୍ୱତନ୍ତ୍ର ନଜର ରହିପାରେ । ପୁଞ୍ଜି ବ୍ୟୟବରାଦ ବଢ଼ାଇପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ବ୍ୟୟବରାଦ ଉପରେ ବଜାରର ନଜର ରହିଛି । ଜାତୀୟ ଆସେଟ୍‌ ମୁଦ୍ରୀକରଣ ଯୋଜନା ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରେ । ପୁଞ୍ଜି ବଜାର ଉପରେ ଯଦି ନଜର ଦିଆଯାଏ, ପୁଞ୍ଜି ବଜାର ଆୟ ଉପରେ ଟିକସରେ କୌଣସି ପରିବର୍ତ୍ତନ କରାଯାଇ ନ ପାରେ । ସେହିଭଳି ସିକ୍ୟୁରିଟିଜ୍‌ ଟ୍ରାଞ୍ଜାକ୍‌ସନ ଟାକ୍ସ(ଏସ୍‌ଟିଟି) ଉପରେ ବି ହ୍ରାସ କରାଯାଇ ନ ପାରେ । ଇକ୍ୱିଟି ବଜାରକୁ ବଜେଟ୍‌ କୌଣସି ପ୍ରକାର ଆଚମ୍ବିତ କରି ନ ପାରେ ।

Show More

Related Articles

Back to top button