Breaking PLUSଓଡ଼ିଶାମୁଖ୍ୟ ଖବର

କେସିଙ୍ଗାରେ ବିଜୁ ଆଦର୍ଶ କଲୋନି

୪୪ ଗରିବ ପରିବାର ଏହି କଲୋନି ଦ୍ୱାରା ଉପକୃତ ହୋଇଛନ୍ତି

ଭର୍ଚୁଆଲ ମୋଡ଼ରେ ଉଦଘାଟନ ହେବ ବିଜୁ ଆଦର୍ଶ କଲୋନି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିସ୍ଥାପିତଙ୍କୁ ଥଇଥାନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ତିଆରି ହୋଇଛି ବିଜୁ ଆଦର୍ଶ କଲୋନି । ଏହା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି । ଏହି କ‌ଲୋନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ମୁଖ୍ୟମନ୍ତ୍ରୀ ଭବାନୀପାଟଣାଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ହିଁ ଏହି ପ୍ରକଳ୍ପର ଉଦଘାଟନ କରିବେ ।

କେସିଙ୍ଗା ଏନ୍‌ଏସି ଦ୍ୱାରା ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି କୋଲୋନି ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ । କେସିଙ୍ଗା ରେଳ ଅଣ୍ଡରବ୍ରିଜ୍‌ ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ୪୪ ଗରିବ ପରିବାରଙ୍କୁ ସ୍ଥାନୀୟ ବୋରିଂପଦରଠାରେ ଏକ କୋଲୋନି ନିର୍ମାଣ କରାଯାଇ ଥଇଥାନ କରାଯାଇଛି । ଏମାନଙ୍କୁ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ଏହି କୋଲୋନି ପାଇଁ କଂକ୍ରିଟ ରାସ୍ତା, ମିନିପାର୍କ, କମ୍ୟୁନିଟି ହଲ, ପର୍ବ ପର୍ବାଣୀ ପାଳନ ପାଇଁ ଖୋଲା ଜାଗା, ବିଜୁଳି, ରାସ୍ତାରେ ଲାଇଟ, ପାନୀୟ ଜଳ ଯୋଗାଣ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି କୋଲୋନିର ଅଧିବାସୀ ଏହି ସ୍ଥାନରେ ଏକ ସୁନ୍ଦର ଜୀବନଯାପନ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ପ୍ରଥମ କରି ରାଜ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯାହା ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ହୋଇଛି । ବିସ୍ଥାପିତ ହୋଇ ନିରାଶ୍ରୟ ହୋଇଥିବା ୪୪ ପରିବାର କେବେ ଭାବି ନଥିଲେ ଏପରି ସୁନ୍ଦର ଜାଗା ସେମାନଙ୍କୁ ମିଳିବ ବୋଲି ।

Show More

Related Articles

Back to top button