ଆଜିଠୁ ପୁଣି ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା
କେନ୍ଦ୍ରାପଡାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ଡଲଫିନ୍ ଗଣନା । ଏଠାରେ ଚଳିତ ମାସ ୧୭ ତାରିଖରେ ଡଲଫିନ୍ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ ଅଧିକାଂଶ ସ୍ଥାନରେ ଡଲଫିନ୍ ମିଳିନଥିଲା
ଡଲଫିନ୍ ଗଣନା ଠିକ୍ ଭାବେ ହୋଇ ନପାରିବାରୁ ଆଉ ଥରେ ଡଲଫିନ୍ ଗଣନା କରାଯିବ ବୋଲି ବନ ବିଭାଗ ନିଷ୍ପତ୍ତି ନେଇଛି ।ଶୁକ୍ରବାରଠୁ ୯ଟି ଟିମ୍ ଡଲଫିନ୍ ଗଣନା ହେବ । ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ୍ ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି । ଭିତରକନିକା ଅଞ୍ଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି ।
ସେହିପରି ଆଉଟର୍ ହୁଇଲରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ୱୁ ଖରନାସିରୁ ହୁକିଟୋଲା, ପାରାଦୀପରୁ ଜଟାଧାରୀ ମୁହାଣ ଓ ଦେବୀ ମୁହାଣରୁ ଜଟାଧାରୀ ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଟିମ୍ ଡଲ୍ଫିନ୍ ଗଣନା କରିବେ। ଡଲ୍ଫିନ୍ ବିଶାରଦ ଡ. ମୁନ୍ତାଜ ଖାଁଙ୍କ ନେତୃତ୍ୱରେ ପ୍ରତି ଗ୍ରୁପ୍ରେ ୩ରୁ ୫ଜଣ ଲେଖାଏଁ ସଦସ୍ୟ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, ବ୍ରିଜରେ ୪ଟି ଟିମ୍ ଗଣନା କରିବେ ବୋଲି ସୂଚନା ମିଳିଛି ।