ଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

୧୫ ପରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପରେ ସେପ୍ଟେମ୍ବର ମାସରେ ପୁଣି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।

ଶ୍ରୀ ମହାପାତ୍ରଙ୍କ କହିଛନ୍ତି, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ । ମାତ୍ର ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ । ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି । ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ । ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିନ୍ତୁ ସକ୍ରିୟ ମୌସୁମୀ ବର୍ଷା ୧୫ ତାରିଖ ପରେ ହେବ ବୋଲି ଶ୍ରୀ ମହାପାତ୍ର ଆକଳନ କରିଛନ୍ତି ।ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତା ଦୁଇରୁ ତିନି ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ମାତ୍ର ୧୬ରୁ ୨୦ ପର୍ଯ୍ୟନ୍ତ ବର୍ଷା ବଢ଼ିବ । ୧୬ରୁ ୧୮ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ସହିତ ୧୮ରୁ ୨୦ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର ୧୬ରୁ ୧୯ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୫୭ ମିଲିମିଟର ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୪୫, କୋରାପୁଟରେ ୪୨, ବଲାଙ୍ଗୀରରେ ୧୩ ଓ କଟକରେ ୮ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button