କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର, 4 ଫେବୃଆରୀ – ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବ। ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ । ପୂରା ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯାଇଛି । ଆନ୍ଦୋଳନକାରୀଙ୍କଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି। ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ ରୁ ଉର୍ଦ୍ଧ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ରୁଫ୍ ଟପ୍ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍ପୋଷ୍ଟ କରାଯାଇଛି। ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି।