ଓଡ଼ିଶାମୁଖ୍ୟ ଖବର

ତାତିରୁ ତ୍ରାହି ନାହିଁ, ଆହୁରି ୩ ଦିନ ଯାଏଁ ପ୍ରଚଣ୍ଡ ଖରା

ଏବେ କମିବନି ତାତି । ଆହୁରି ୩ଦିନ ଜାରି ରହିବ । ୩ ଦିନ ପରେ ତାତି କମିବ । ମେ’ ୪ରୁ ପାଗ ପରିବର୍ତ୍ତନ ହେବ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟକୁ ଆହୁରି ୩ଦିନ ପଶ୍ଚିମା ଶୁଷ୍କ ଗରମ ପବନ ବୋହିବ । ଫଳରେ ମେ’ ୩ ପର୍ଯ୍ୟନ୍ତ ପାଗ ଅପରିବର୍ତ୍ତିତ ରହିବ । ତେବେ ମେ’ ୪ରୁ ପାଗ ବଦଳିବ । ପବନର ଦିଗ ପରିବର୍ତ୍ତନ ହେବା ସହ ବଙ୍ଗୋପସାଗରରୁ ସାରା ରାଜ୍ୟକୁ ପବନ ବୋହିବା ଆରମ୍ଭ ହେବ । ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍‌ କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ଂ ସେଲସିୟସ୍‌ ତଳକୁ ଖସିବ । ୪ରୁ ୮ ତାରିଖ ମଧ୍ୟରେ ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ହେବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ଓ ୭ ତାରିଖରେ ବର୍ଷାର ସମ୍ଭାବନା ଅଧିକ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଶୁକ୍ରବାର ରାଜ୍ୟର ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ବଲାଙ୍ଗୀର ୪୨.୮ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୪୧.୭ ଡିଗ୍ରୀ ସେଲସିୟସ୍‌, ସୋନପୁରରେ ୪୧.୩ ଡିଗ୍ରୀ ସେଲସିୟସ୍‌,ଭବାନୀପାଟଣା ବୌଦ୍ଧ ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ ସେଲସିୟସ୍‌, ସମ୍ବଲପୁରରେ ୪୦.୧ ଡିଗ୍ରୀ ସେଲସିୟସ୍‌, ଝାରସୁଗୁଡ଼ାରେ ୪୦ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ୯ମିଲିମିଟର, ରାୟଗଡ଼ାରେ ୬ ମିଲିମିଟର, ମାଲକାନଗିରିରେ ୫ ମିଲିମିଟର ଓ ଫୁଲବାଣୀରେ ୨ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

Show More

Related Articles

Back to top button