
ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଇଂଲଣ୍ଡରେ ଜାତୀୟ ସଙ୍ଗୀତ ଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ହେବାକୁ ଯାଉଛି ପରିବର୍ତ୍ତନ । ଜାତୀୟ ସଙ୍ଗୀତ ପରିବର୍ତ୍ତନ ଆଇନଗତ ବାଧ୍ୟବାଧକତା ହୋଇ ନଥିଲେ ମଧ୍ୟ ପରମ୍ପରାକ୍ରମେ ରାଜାଙ୍କୁ ସମ୍ମାନ ଜଣାଇ ଏଥିରେ ପରିବର୍ତ୍ତନ କରାଯିବ। ଯେପରିକି ରାଣୀଙ୍କୁ ସମ୍ବୋଧନ ଉଦ୍ଦେଶ୍ୟରେ ଜାତୀୟ ସଙ୍ଗୀତରେ ବ୍ୟବହାର ହୋଇଥିବା ‘ହର’ ଶବ୍ଦ ସ୍ଥାନର ‘ହିମ୍’ ଲେଖାଯିବ। ସେହିପରି ଗଡ ସେଭ୍ ଆୱାର ଗ୍ରାସିୟସ୍ କୁଇନ୍ ସ୍ଥାନରେ କିଙ୍ଗ୍ ଲେଖାଯିବ। ଆଗାମୀ ଦିନରେ ଦେଶର ପ୍ରଚଳିତ ଟଙ୍କା ବ୍ୟାଙ୍କ ନୋଟ୍ ରେ ରାଣୀଙ୍କ ପରିବର୍ତ୍ତେ ରାଜାଙ୍କ ପ୍ରତିଛବି ରଖାଯିବ। ତେବେ ରାଣୀଙ୍କ ଛବି ଥିବା ନୋଟ୍ଗୁଡିକ ବୈଧ ରହିବ ବୋଲି ବ୍ୟାଙ୍କ ଅଫ ଇଂଲଣ୍ଡ ପକ୍ଷରୁ ଜଣାଇ ଦିଆଯାଇଛି। ସେହିପରି ଦେଶରେ ପ୍ରଚଳିତ ମୁଦ୍ରାରେ ମଧ୍ୟ ପରିବର୍ତ୍ତନ କରାଯିବ। ଇଂଲଣ୍ଡର ଡାକ ଟିକଟରେ ମଧ୍ୟ ନୂଆ ରାଜାଙ୍କ ଛବି ସ୍ଥାନିତ କରାଯିବ। ଇଂଲଣ୍ଡ ସୈନ୍ୟ ବାହିନୀରେ ଦିଆଯାଉଥିବା ବିଭିନ୍ନ ପ୍ରକାର ମେଡାଲ (ପଦକ)ରେ ଏବେ ରାଣୀଙ୍କ ଛବି ବଦଳରେ ରାଜା ଚାର୍ଲସଙ୍କ ଛବି ସ୍ଥାନିତ ହେବ। ଅଦାଲତରେ ସରକାରୀ ଓକିଲମାନେ ନିଜକୁ କୁଇନ୍ସ କାଉନସେଲ (କ୍ୟୁସି) ବଦଳରେ ଏବେ କିଙ୍ଗସ୍ କାଉନସେଲ (କେସି) ଭାବେ ପରିଚୟ ଦେବେ। ଏହିପରି ଆଗାମୀ ଦିନରେ ସରକାରୀ ସ୍ତରରେ ଇଂଲଣ୍ଡରେ ଅନେକ କିଛି ପରିବର୍ତ୍ତନ ହେବ ଯାହା ସବୁ ପାରମ୍ପରିକ। କାରଣ ଲଂଲଣ୍ଡରେ ରାଜ ପରମ୍ପରାକୁ ସରକାରୀ ସ୍ତରରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ।