
ଲଣ୍ଡନ: ମହାରାଣୀ ଏଲିଜାବେଥଙ୍କ ଦେହାନ୍ତକୁ ନେଇ ଶୁକ୍ରବାର ଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ତୋପ ସଲାମ ଦିଆଯାଇଛି। ଅପରାହ୍ନ ୧ଟାରେ ହାଇଦ ପାର୍କ ଓ ଲଣ୍ଡନ ଟାୱାରରେ ଏହି ତୋପ ସଲାମ ଦିଆଯାଇଥିଲା। ହାଇଦ ପାର୍କରେ ରାଜାଙ୍କର ରୟାଲ ହର୍ସ ଆର୍ଟିଲ୍ୟାରୀ ପକ୍ଷରୁ ତୋପ ସଲାମ ଦିଆଯାଇଥିବାବେଳେ ଲଣ୍ଡନ ଟାୱାରରେ ଆର୍ଟିଲେରୀ କମ୍ପାନୀ ପକ୍ଷରୁ ସଲାମ ଦିଆଯାଇଥିଲା। ସେହିପରି ସ୍କଟଲାଣ୍ଡର ଏଡିନବର୍ଗ କାସଲ, ୱେଲସ୍ର କାର୍ଡିଫ୍ କାସଲରେ ମଧ୍ୟ ରାଣୀଙ୍କୁ ତୋପ ସଲାମ ଦିଆଯାଇଥିଲା। ରାଣୀଙ୍କ ବୟସ ଅନୁଯାୟୀ ୯୬ଟି ଲେଖାଏଁ ତୋପ ସଲାମ ଦିଆଯାଇଥିଲା। ଅଷ୍ଟ୍ରେଲିଆ ପାର୍ଲାମେଣ୍ଟ ଭବନ ବାହାରେ ମଧ୍ୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଉଦ୍ଦେଶ୍ୟରେ ୯୬ଟି ତୋପ ସଲାମ ଦିଆଯାଇଛି। ଅନ୍ୟପଟେ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବ୍ରିଟେନ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ସେହିପରି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଦେଶର ସମସ୍ତ ଗୀର୍ଜାରେ ଘଣ୍ଟି ବଜାଯାଇଥିଲା।