ସ୍କୁଲ ପୋଷାକ କିଣାରେ ୨୫ ଲକ୍ଷ ଦୁର୍ନୀତି
ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ପିଲାଙ୍କ ପାଇଁ ପୋଷାକ କିଣାରେ ବଡ଼ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ସଚିବଙ୍କ ନିର୍ଦ୍ଦେଶରେ ଏକ କମିଟି ଏହାର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଛି। ଏହି ପୋଷାକ କିଣାରେ ପ୍ରାୟ ୨୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା କମିଟିର ଜଣେ ଅଧିକାରୀ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷରୁ ଉର୍ଦ୍ଧ୍ବ। ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ଯୋଗାଇ ଦିଆଯାଉଥିଲା। ଚଳିତ ବର୍ଷଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ପୋଷାକ ଯୋଗାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକ ପାଇଁ ମୁଣ୍ଡପିଛା ୫୦୦ ଟଙ୍କା ଓ ନବମ-ଦଶମ ପିଲାଙ୍କ ୭୦୦ ଟଙ୍କା ରଖାଯାଇଛି। ଟେଣ୍ଡର ମାଧ୍ୟମରେ ସ୍କୁଲମାନଙ୍କୁ ପୋଷାକ ଯୋଗାଣ ନିମନ୍ତେ ବିଭିନ୍ନ ଯୋଗାଣକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତେବେ କେବଳ କଟନ (ସୂତା) ପୋଷାକ ପ୍ରଦାନ କରିବାକୁ ଲିଖିତ ନିର୍ଦ୍ଦେଶ ରହିଥିବା ବେଳେ ମୟୂଭରଞ୍ଜ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଧିକାଂଶ ସ୍କୁଲକୁ କଟନ ବଦଳରେ ଟେରିଲିନ୍ କପଡ଼ାର ପୋଷାକ ଯୋଗାଣ ହୋଇଛି। କମ୍ ଖର୍ଚ୍ଚରେ ଟେରିଲିନ୍ କପଡ଼ା ମିଳୁଥିବାରୁ ଏଥିରେ ବଡ଼ ଧରରଣ କମିଶନ୍ କାରବାର ହୋଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଏହାର ପ୍ରତିବାଦ କଲେ ସ୍କୁଲର ଶିକ୍ଷକମାନେ ଯୋଗାଣକାରୀ ସଂସ୍ଥାକୁ ସମର୍ଥନ ଜଣାଇ ପିଲାଙ୍କୁ ନାଲି ଆଖି ଦେଖାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ସ୍କୁଲରେ କଟନ ପୋଷାକ ଦିଆ ଯାଇଥିଲେ ବି ଅଧିକାଂଶ ସ୍ଥାନରେ ଟେରିଲିନ୍ ପୋଷାକ ଯୋଗାଣ ହୋଇଥିବା ନେଇ କମିଟି ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଛି। ରିପୋର୍ଟ ପ୍ରଦାନକୁ ବେଶ୍ କିଛି ମାସ ହୋଇଗଲାଣି, କିନ୍ତୁ କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ବାବଦରେ ଜିଲ୍ଲା ପ୍ରଶାସନ କିମ୍ବା ଶିକ୍ଷା ବିଭାଗର କୌଣସି ଅଧିକାରୀ ମୁହଁ ଖୋଲିବାକୁ ରାଜି ହେଉନାହାନ୍ତି। ତେଣୁ ପୋଷାକ କିଣା ଦୁର୍ନୀତି ରିପୋର୍ଟ ଉପରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।