
କାଣ୍ଡି: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଏସିଆ କପ୍ର ୩ୟ ଲିଗ୍ ମ୍ୟାଚରେ ଶନିବାର ରୋହିତ ଶର୍ମାଙ୍କ ଭାରତୀୟ ଦଳ ବାବର ଆଜାମଙ୍କ ପାକିସ୍ତାନ ଦଳକୁ ଭେଟିବ। ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେରେ ଖେଳାଯିବାକୁ ଥିବା ଗ୍ରୁପ-ଏ ର ଉକ୍ତ ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି। ଏହି ମହାମୁକାବିଲା ପାଇଁ କ୍ରିକେଟପ୍ରେମୀମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ତେବେ ବର୍ଷା ହେବାର ସମ୍ଭାବନା ଥିବାରୁ ମ୍ୟାଚ ବାଧାପ୍ରାପ୍ତ ହେବାର ମଧ୍ୟ ଆଶାଙ୍କା ରହିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ, କୁଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ବକୁ ବଢାଇ ଦେଇଛି। ଏହା ଏକ ସାଧାରଣ ମ୍ୟାଚ ନୁହେଁ ;ଏହା ସ୍ବତନ୍ତ୍ର ମ୍ୟାଚ ବୋଲି ଦୁଇ ଦେଶର ଖେଳାଳି ଓ କ୍ରିକେଟପ୍ରେମୀମାନେ ହୃଦୟଙ୍ଗମ କରିଛନ୍ତି।
ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ କ୍ରିକେଟରେ ଶେଷ ଥର ପାଇଁ ୨୦୨୨ ଅକ୍ଟୋବର ୨୩ରେ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ମ୍ୟାଚରେ ମେଲବୋର୍ଣ୍ଣରେ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୪ ୱିକେଟରେ ବିଜୟ ହାସଲ କରିଥିଲା। ପାଖାପାଖି ୧୧ ମାସ ପରେ ଦୁଇ ଦଳ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଦିନିକିଆ କ୍ରିକେଟର ଫର୍ମାଟକୁ ଦେଖିବାକୁ ଗଲେ ୪ ବର୍ଷ ପେର ଉଭୟ ଦଳ ମୁହଁାମୁହିଁ ହେବାକୁ ଯାଉଛନ୍ତି। ୨୦୧୯ ଦିନିକିଆ କ୍ରିକେଟ ବିଶ୍ବକପରେ ମାଞ୍ଚେଷ୍ଟରରେ ଜୁନ୍ ୧୬ରେ ଶେଷ ଥର ପାଇଁ ଦୁଇ ଦଳ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ଡକ୍ୱଥ୍ ଲୁଇସ୍ ନିୟମ ଆଧାରରେ ୮୯ରନରେ ବିଜୟୀ ହୋଇଥିଲା।