
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବାଇକ୍ ଆରୋହୀ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଶ୍ରମିକ ହୋଇଥିବା ଜଣାଯାଇଛି। ତାଙ୍କ ନାଁ ଧନୀ ନାୟକ। ହେଲେ ବାଇକ୍ ଆରୋହୀଙ୍କ ପରିଚୟ ଜଣାପଡି ନାହିଁ। ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଚଟୁଆ ଗାଁର କିଛି ଶ୍ରମିକ ଏକ ଅଟୋରେ କାମ କରିବା ପାଇଁ ବେଗୁନିଆ ଯାଉଥିଲେ। ଏହି ସମୟରେ ଭୁଇଁପୁର ଛକରେ ବିପରୀତ ଦିଗରୁ ଏକ ମଟର ସାଇକେଲ ଦ୍ରୁତଗତିରେ ଆସି ଏକ ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଅରୋହୀଙ୍କ ସମେତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ। ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।