
ଲର୍ଡସ: ଝୁଲଣ ଗୋସ୍ୱାମୀ ଆଜି ଖେଳୁଛନ୍ତି ଶେଷ ମ୍ୟାଚ । ଦୀର୍ଘ ୨୦ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବାକୁ ଆଜି ଭାରତୀୟ ମହିଳା ଦଳର ଝୁଲଣ ଗୋସ୍ୱାମୀ ଐତିହାସିକ ଲର୍ଡସ ପଡ଼ିଆକୁ ଓହ୍ଲାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଶେଷ ମ୍ୟାଚ୍ ଖେଳୁଛନ୍ତି। ମ୍ୟାଚ୍ ପୂର୍ବରୁ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ୱର୍ଦ୍ଧିତ କରାଯାଇଥିଲା। ତେବେ ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଭାବବିହ୍ୱଳ ହୋଇଯାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏପରି କି ସେ କାନ୍ଦି ମଧ୍ୟ ପକାଇଥିଲେ। ଏହା ଦେଖି ତାଙ୍କ ପାଖରେ ଥିବା ଝୁଲଣ ଗୋସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌର ଅଧିନାୟକ ହୋଇଥିଲେ ମଧ୍ୟ ଆଜି ଝୁଲଣ ଗୋସ୍ୱାମୀଙ୍କୁ ସେ ଟସ୍ ବେଳେ କଲ୍ କରିବାକୁ କହିଥିଲେ। ମ୍ୟାଚ୍ ପୂର୍ବରୁ ୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ମୋମେଣ୍ଟୋ ଦିଆଯାଇଥିଲା। ଏହାକୁ କ୍ୟାପ୍ଟେନ ହିସାବରେ ହରମନପ୍ରୀତ କୌର ତାଙ୍କୁ ଦେଇଥିଲେ। କୌର ଓ ଗୋସ୍ୱାମୀଙ୍କ ସମ୍ପର୍କ ବେଶ ପୁରୁଣା। ୩୩ ବର୍ଷୀୟ କୌର ଭାରତ ପାଇଁ ୨୦୦୯ରେ ଡେବ୍ୟୁ କରିବା ବେଳେ ଝୁଲଣ ଅଧିନାୟକ ରହିଥିଲେ। ଏବେ କୌରଙ୍କ କ୍ୟାପ୍ଟେନ୍ସି ସମୟରେ ଝୁଲଣ ଅବସର ନେଇଛନ୍ତି। ଝୁଲଣ ଗୋସ୍ୱାମୀ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଆଜି ଅବସର ନେଉଛନ୍ତି। ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୩ ୱିକେଟ ଦଖଲ କରିଛନ୍ତି। ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ସେ ସବୁଠାରୁ ଅଧିକ ୨୨୬୦.୨ ଓଭର ଏଯାଏ ବୋଲିଂ କରିଛନ୍ତି। ସେ ଭାରତ ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୪୪ଟି ୱିକେଟ ନେଇଛନ୍ତି। ଝୁଲଣ ୨୦୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ସେହିପରି ସେ ୨୦ ବର୍ଷ ୨୬୧ ଦିନ ଧରି କ୍ରିକେଟ ଖେଳିବାର ରେକର୍ଡ ମଧ୍ୟ କରିଛନ୍ତି। ୨୦୦୭ରେ ସେ ଆଇସିସି ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ପାଇଥିଲେ। ସେ ଭାରତ ପାଇଁ ୨୦୦୫ ଓ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ଜିତି ପାରି ନାହାନ୍ତି। କିନ୍ତୁ ଏସିଆ କପରେ ଭାରତ ୩ଥର ଚାମ୍ପିୟନ ହେବା ବେଳେ ଟିମ୍ରେ ଝୁଲଣ ରହିଥିଲେ।