ଓମିକ୍ରନ BA.2 ପରେ ଏବେ ଚିନ୍ତାର କାରଣ ହେଲେ ଆଉ ଦୁଇ ନୂଆ ସବ-ଭାରିଏଣ୍ଟ
ପୁଣି ଏକ ଲହରର ଆଶଙ୍କା କରୁଛନ୍ତି ବୈଜ୍ଞାନିକ

କରୋନା ଭାଇରସ ମହାମାରୀ ଏବେବି ବିଶ୍ୱ ଲାଗି ଚିନ୍ତାର କାରଣ ହୋଇ ରହିଛି। ଭାରତ, ଚୀନ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଏବେ ପରିସ୍ଥିତି ପୁଣି ବିଗିଡିବାରେ ଲାଗିଲାଣି। ଏପରି ସଂକ୍ରମଣ ବୃଦ୍ଧି ଲାଗି ବିଶେଷଜ୍ଞ ଓମିକ୍ରନ ଓ ଏହାର ବିଏ.୨ ଉପ ପ୍ରକାର (ସବ୍-ଭାରିଏଣ୍ଟ)କୁ ଏପର୍ଯ୍ୟନ୍ତ ଦାୟୀ କରୁଥିଲେ। ଏବେ ବଢୁଥିବା ସଂକ୍ରମଣରେ ବୈଜ୍ଞାନିକ ଆଉ ୨ଟି ନୂଆ ଉପ ପ୍ରକାରର ଚେତାବନୀ ଦେଲେଣି। ଏହି ଦୁଇ ନୂଆ ଉପ ପ୍ରକାରକୁ ବୈଜ୍ଞାନିକ ବିଏ.୪ ଓ ବିଏ.୫ ନାମକରଣ କରିଛନ୍ତି। ଏହି ପ୍ରକାର ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରନ୍ତି ବୋଲି ମଧ୍ୟ ସତର୍କ କରିଛନ୍ତି। କେବଳ ଏତିକି ନୁହେଁ ଏହା ପ୍ରାକୃତିକ ସଂକ୍ରମଣ ଓ ଟିକା ଯୋଗୁ ଶରୀରରେ ସୃଷ୍ଟି ହୋଇଥିବା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଭେଦ କରିପାରନ୍ତି ବୋଲି ମଧ୍ୟ କହିଛନ୍ତି। ଅଧ୍ୟୟନରୁ ବୈଜ୍ଞାନିକ ସବୁ ଦେଶଙ୍କୁ ଏ ବାବଦେ ସତର୍କ କରିଛନ୍ତି। ଏଥିଯୋଗୁ ଉପୁଜିବାକୁ ଥିବା ସମସ୍ୟା ନେଇ ମଧ୍ୟ ସଚେତନ କରିଛନ୍ତି। ଦକ୍ଷିଣ ଆଫ୍ରିକାସ୍ଥିତ ଆଫ୍ରିକାନ ରସର୍ଚ୍ଚର ଗବେଷକମାନେ ଓମିକ୍ରନର ଦୁଇ ନୂଆ ସବଭାରିଏଣ୍ଟ ବିଏ.୪ ଓ ବିଏ.୫ଏଠାରେ ଏକ ନୂଆ ଲହରର ସଂକେତ ଦେଉଥିବା କହିଛନ୍ତି।
ଗତମାସରେ ଏପିଡେମିକ ରେସ୍ପନସ୍ ଏଣ୍ଡ ଇନୋଭେସନ (ସିଇଆରଆଇ)ଙ୍କ ବୈଜ୍ଞାନିକମାନେ ଏହି ୨ ଉପ ପ୍ରକାରଙ୍କୁ ଚିହ୍ନଟ କରିଥିଲେ। ଏହି ଦୁଇ ଉପ ଭାରିଏଣ୍ଟଙ୍କ ଲାଗି ସତର୍କ ରହିବାକୁ ସେମାନେ ଆଗୁଆ କହିଥିଲେ କାରଣ ଏମାନଙ୍କର ପ୍ରବୃତ୍ତି ଅନେକ ପ୍ରକାରର ଶାରୀରକ ସମସ୍ୟାର କାରଣ କରିପାରେ ବୋଲି କହିଥିଲେ। ଏମାନଙ୍କର ପ୍ରକୃତି ପୂରୁଣା ଉପପ୍ରକାରଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଡିସେମ୍ବର ୨୦୨୧ ଓ ଜାନୁୟାରୀ ୨୦୨୨ରେ ଏହି ଭାରିଏଣ୍ଟଙ୍କ ସମ୍ପର୍କରେ ପ୍ରଥମେ ଜଣାପଡିଥିଲା। ସେବେଠୁ ଏବେ ମଧ୍ୟରେ ଏହି ଦୁଇ ନୂଆ ଉପ ପ୍ରକାର ଦକ୍ଷିଣ ଆଫ୍ରିକାର ୭ଟି ପ୍ରାନ୍ତ ସମେତ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, ଚୀନ, ଇସ୍ରାଏଲ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ପାକିସ୍ତାନ, ୟୁକେ, ୟୁଏସ ସମେତ ସ୍ୱିଜରଲ୍ୟାଣ୍ଡ ଆଦି ୨୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି। ଏଣୁ ଆଗାମୀ ଦିନରେ ଏହି ଉପପ୍ରକାର ପୁଣି ବୈଶ୍ୱିକ ଆହ୍ୱାନର କାରଣ ହୋଇ ପାରନ୍ତି ବୋଲି ବୈଜ୍ଞାନିକ ସତର୍କ କରିଛନ୍ତି।