ବାଣିଜ୍ୟ

ଅକ୍ଷୟ ତୃତୀୟା ସ୍ୱର୍ଣ୍ଣଳଙ୍କାର ବେପାରରେ ନୂଆ ରେକର୍ଡ

ଗୋଟିଏ ଦିନରେ ହୋଇଛି ୧୫ ହଜାର କୋଟି ଟଙ୍କାର କାରବାର

କୋଭିଡ ଯୋଗୁ ୨ ବର୍ଷର ମାନ୍ଦାବସ୍ଥା ପରେ ଆଭୂଷଣ ବଜାରରେ ଫେରିଛି ମହାମାରୀ ପୂର୍ବର ଚମକ୍ । ମଙ୍ଗଳବାର ଅକ୍ଷୟ ତୃତୀୟା ଗୋଟିଏ ଦିନରେ ସାରା ଦେଶରେ ୧୫ ହଜାର କୋଟି ଟଙ୍କାର ସ୍ୱର୍ଣ୍ଣାଭୂଷଣ କିଣାବିକାରେ ନୂଆ ରେକର୍ଡ କାୟମ ହୋଇଥିବା କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। କୋଭିଡ-୧୯ ଲକଡାଉନ ପରେ ପ୍ରଥମ ଥର ଅକ୍ଷୟ ତୃତୀୟାରେ ସବୁଠୁ ବେଶି ଆଭୂଷଣ ବ୍ୟବସାୟ ହୋଇଥିବା ସେ କହିଛନ୍ତି। କୋଭିଡ ସଂକଟ ଯୋଗୁ ଗତ ୨ ବର୍ଷ ହେଲା ଭୀଷଣ ମାନ୍ଦାବସ୍ଥା ପରେ ଦେଶର ସ୍ୱର୍ଣ୍ଣଳଙ୍କାର ବଜାରକୁ ପୁଣି ଭିଡ ଫେରିଛି। ଯେଉଁଥି ଯୋଗୁ ମଙ୍ଗଳବାର ଗୋଟିଏ ଦିନରେ ୧୫ ହଜାର କୋଟି ଟଙ୍କାର ଆଭୂଷଣ କିଣାବିକା ହୋଇଥିବାର ଏକ ଆକଳନ କରାଯାଉଛି। ଫଳରେ ବ୍ୟବସାୟ ସହ ଜଡିତ ଲୋକଙ୍କ ମୁହଁରେ ପୁଣି ହସ ଉକୁଟିଛି। ଅକ୍ଷୟ ତୃତୀୟା ଲାଗି ବ୍ୟବସାୟୀ ବେଶ ପୂର୍ବରୁ ପ୍ରସ୍ତୁତି କରି ନେଇଥିଲେ। ବଜାର ଦରରେ ଲୋକଙ୍କ ଆବଶ୍ୟକତା ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ହାଲୁକା ଅଳଙ୍କାର ପ୍ରସ୍ତୁତ କରିଥିଲେ।

ଯେଉଁଗୁଡିକର ବେଶ କାରବାର ହୋଇଥିବା ଅଲ ଇଣ୍ଡିଆ ଜ୍ୱେଲର୍ସ ଏଣ୍ଡ ଗୋଲ୍ଡସ୍ମିଥ ଫେଡେରେସନର ଜାତୀୟ ସଭାପତି ପଙ୍କଜ ଆରୋରା କହିଛନ୍ତି। ଦେଶରେ ଦୀର୍ଘ ଅନ୍ତରାଳ ପରେ ପୁଣି ଥରେ ସୁନା ଓ ରୂପା ଅଳଙ୍କାରର ଚାହିଦା ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ହେଲା ଅକ୍ଷୟ ତୃତୀୟା ଲାଗି ବ୍ୟବସାୟୀ ବେଶ୍ ପ୍ରସ୍ତୁତି କରୁଥିଲେ। ହେଲେ ଆଶାନୁରୂପ ଗ୍ରାହକ ନଥିଲେ। ଏଣୁ ଏପରି କୌଣସି ଖାସ କାରବାର ବି ହୋଇନଥିଲା। ବର୍ଷର ଶୁଭ ଦିନମାନଙ୍କରେ ଅକ୍ଷୟ ତୃତୀୟା ଅନ୍ୟତମ। ଭାରତରେ ଏହି ଦିନକୁ ଲୋକେ ନୂଆ କିଣାକିଣି ଲାଗି ବାଛିଥାନ୍ତି। ଏଣୁ ସ୍ୱର୍ଣ୍ଣଳଙ୍କାର ବ୍ୟବସାୟ ଲାଗି ଦିନଟି ଖାସ ହୋଇଥାଏ। ୩ ବର୍ଷ ପୂର୍ବେ ୨୦୧୯ ମସିହା ଅକ୍ଷୟ ତୃତୀୟାରେ ସୁନା ପ୍ରତି ୧୦ ଗ୍ରାମ ୩୨ ହଜାର ୭୦୦ ଟଙ୍କା ଓ ରୂପା କିଜି ପିଛା ୩୮ ହଜାର ୩୫୦ ଥିବା ବେଳେ ଯେଉଁପରି କାରବାର ହୋଇଥିଲା ୨୦୨୨ ମସିହା ଅକ୍ଷୟ ତୃତୀୟାରେ ସୁନା ୫୩ ହଜାର ଓ ରୂପା ୬୬ ହଜାର ୬୦୦ ଦରରେ ମଧ୍ୟ ସେହିପରି କାରବାର କରିଥିବା ଖଣ୍ଡେଲୱାଲ ଓ ଆରୋରା କହିଛନ୍ତି। ସିଏଆଇଟି ଜାତୀୟ ସଭାପତି ବି.ସି. ଭରତିଆ ୨୦୨୧ ପ୍ରଥମ ତ୍ରୈମାସିକରେ ସୁନା ଛଡ ଓ ମୁଦ୍ରା ଆକାରରେ ଦେଶକୁ ୩୯.୩ ଟନ ସୁନା ଆମଦାନୀ କରାଯାଇଥିବାର କହିଛନ୍ତି। ତେବେ ଏହି ପରିମାଣ ୨୦୨୨ ପ୍ରଥମ ତ୍ରୈମାସିକ ବେଳକୁ ୪୧.୩ ଟନକୁ ପହଞ୍ଚିଛି। ଲାଗଲାଗ ୨ ବର୍ଷ କରୋନା ଲକଡାଉନ ଦେଶରେ ସ୍ୱର୍ଣ୍ଣଳଙ୍କାର ବ୍ୟବସାୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ୨୦୧୯ ଅକ୍ଷୟ ତୃତୀୟାରେ ୧୦ ହଜାର କୋଟି ଟଙ୍କାର ଆଭୂଷଣ କାରବାର ହୋଇଥିବା ବେଳେ ଏହା ପରବର୍ଷ ଅକ୍ଷୟ ତୃତୀୟାକୁ ୫୦୦ କୋଟି ଟଙ୍କାକୁ ଖସି ଆସିଥିଲା। ତେବେ ଏବର୍ଷର କାରବାର ଲୋକଙ୍କ ମୁହଁରେ ଚମକ୍ ଫେରାଇ ଆଣିଥିବା ଆରୋରା ଓ ଖଣ୍ଡେଲୱାଲ କହିଛନ୍ତି।

Show More

Related Articles

Back to top button