
ଭାରତ ରତ୍ନ ତଥା ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପ୍ରଶଂସକ ଓ ଶୁଭଚିନ୍ତକମାନେ ଚିନ୍ତାରେ ଅଛନ୍ତି। ତାଙ୍କର ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। କୋଭିଡ-୧୯ରେ ସଂକ୍ରମିତ ହୋଇ ସେ ଜାନୁଆରୀ ୮ ତାରିଖରେ ମୁମ୍ବାଇର ବ୍ରିଚ କେଣ୍ଡି ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଅପପ୍ରଚାର କରାଯାଇଛି। ଯାହାକି ତାଙ୍କ ପରିବାର ସଦସ୍ୟ ଖଣ୍ଡନ କରିବା ସହ ଏପରି ଅପପ୍ରଚାର ନକରିବାକୁ ଅପିଲ କରିଥିଲେ। ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ତାଜା ସୂଚନା ସାମ୍ନାକୁ ଆସିଛି।
ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି କିନ୍ତୁ ଏବେବି ଆଇସିୟୁରେ ଥିବା କୁହାଯାଇଛି। ଲତା ମଙ୍ଗେସକରଙ୍କ ପାରିବାରିକ ବନ୍ଧୁଙ୍କ ମଧ୍ୟରୁ ଜଣେ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତାଙ୍କର ଶୀଘ୍ର ସୁସ୍ଥ ହେବାର କାମନା ସେ କରୁଛନ୍ତି। ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ତାଙ୍କର ଜଣେ ପାରିବାରିକ ବନ୍ଧୁ କହିଛନ୍ତି “ଲତା ଦିଦିଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୂର୍ବାପେକ୍ଷା ସୁଧାର ଆସିଛି। ଡ. ପ୍ରତୀତ ସାମଦାନୀଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଆମେ ଏହା ପ୍ରାର୍ଥନା କରୁଛୁ”। କିଛିଦିନ ପୂର୍ବେ ଲତା ମଙ୍ଗେସକରଙ୍କ ଟିମ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ ଯେ “ସମସ୍ତଙ୍କୁ ଆମର ନିବେଦନ ମିଛ ଖବରକୁ ବିଶ୍ୱାସ କରନ୍ତୁ ନାହିଁ । ଲତା ଦିଦିଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖାଯାଉଛି ଓ ସେ ଆଇସିୟୁରେ ଅଛନ୍ତି। ଜଲଦି ସୁସ୍ଥ ହୋଇ ସେ ଘରକୁ ଫେରି ଆସନ୍ତୁ ଆମେ ଏହା ପ୍ରାର୍ଥନା କରୁଛୁ’’।