
ରାଜ୍ୟରେ ଅନୁଭୂତ ହେଲାଣି ହାଲକା ଶୀତ । ଧିରେ ଧିରେ ଏହି ଶୀତ ବୃଦ୍ଧି ପାଇବ । ଆସନ୍ତା ଶୁକ୍ରବାର ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବା ସହିତ ବିଭିନ୍ନ ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଏହାପରେ ଶୀତ ଆହୁରି ବଢ଼ିବ । ୫ ତାରିଖ ପରେ ପୁଣି ତାପମାତ୍ରା ହ୍ରାସ ହେତୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି ।
ଅନ୍ୟପଟେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ସିଧାସଳଖ ରାଜ୍ୟ ଉପରେ ପଡୁନାହିଁ ତେଣୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର୍ ବିଶ୍ଵାସ କହିଛନ୍ତି । ଅକ୍ଟୋବର ୨୯ ରୁ ନଭେମ୍ବର ୨ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲ୍ସିୟସ କମିପାରେ । ଏହାର ତିନି ପର୍ଯ୍ୟନ୍ତ ବାୟୁରୁ ଉତ୍ତର ଭାରତକୁ ଯିବା ଯୋଗୁଁ ତାପମାତ୍ରା ହ୍ରାସ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।
ସେ କହିଛନ୍ତି, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡୁ ଓ କେରଳରେ ଭାରୀ ବର୍ଷା ହେବ । ଏହାର ପ୍ରଭାବରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକା ବର୍ଷା ହୋଇପାରେ । ଥାଇଲାଣ୍ଡରେ ସମ୍ଭାବ୍ୟ ଲଘୁଚାପ ନଭେମ୍ବର ୨ ତାରିଖରେ ଦୁର୍ବଳ ହୋଇଯିବ । କିନ୍ତୁ ଏହା ଲଘୁଚାପ ବଳୟ ହିସାବରେ ବଙ୍ଗୋପସାଗର ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରିବ । ଏହା ଦ୍ୱାରା ତାମିଲନାଡୁ ଓ ସଂଲଗ୍ନ ଅନ୍ଧ୍ର ଉପକୂଳରେ ଭାରୀ ବର୍ଷା ହୋଇପାରେ । ଏହାର ପ୍ରଭାବରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ହୋଇପାରେ । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ଵଳ୍ପ ବର୍ଷା ହେବ ।