ଆଇଟି ଚଢାଉ ସମୟରେ ସୋନୁ ସୁଦ୍ଙ୍କ ପାଖକୁ ଆସିଥିଲା ୫୩ ହଜାର ମେଲ୍
୮ ହଜାର ମେସେଜ୍: ସାହାଯ୍ୟ ଜାରି ରଖିବାର ପ୍ରତିଶ୍ରୁତି ଦେଲେ ଅଭିନେତା

କରୋନା କାଳରେ ଅସୁବିଧାରେ ପଡିଥିବା ଲୋକଙ୍କ ସାହାଯ୍ୟ କରି ସଭିଙ୍କ ପ୍ରେରଣା ଏବଂ ଉଦାହରଣ ସାଜିଛନ୍ତି ସୋନୁ ସୁଦ। ହେଲେ ନିକଟରେ ତାଙ୍କ ଘରେ ଆୟକର ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି। ବିଭାଗ ଏହାକୁ ସର୍ଭେ କହୁଥିବା ବେଳେ ସୋନୁ ସୁଦ ଏହାକୁ ରେଡ୍ କହିଛନ୍ତି। ସର୍ବଶେଷରେ ସୋନୁ ସୁଦ୍ ନିଜେ ଅନ ରେକର୍ଡ ସାମ୍ନାକୁ ଆସି ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି।
ସୋନୁ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନରେ କିଛି ବଦଳି ନାହିଁ। ଆଜି ମଧ୍ୟ ଲୋକେ ସାହାଯ୍ୟ ପାଇଁ ମୋ ଘର ତଳେ ଛିଡା ହୋଇ ରହିଛନ୍ତି। ଗତକାଲି ଛିଡା ହୋଇଥିଲେ ଏବଂ ଆସନ୍ତାକାଲି ମଧ୍ୟ ସାହାଯ୍ୟ ପାଇଁ ଛିଡା ହେବେ। ମୋର କାମ ଲୋକଙ୍କୁ ସାହାଯ୍ୟ କରିବା ଏବଂ ଆଗକୁ ଏହା ଜାରି ରହିବ। ଆୟକର ଅଧିକାରୀ ସେମାନଙ୍କର କାମ କରିଛନ୍ତି ଏବଂ ମୁଁ ମୋ କାମ କରିବି। କାରଣ ଏହି କାମ ବନ୍ଦ ହେବା ପାଇଁ ଆରମ୍ଭ ହୋଇ ନଥିଲା। ଏହି ସାହାଯ୍ୟ ତ ଆରମ୍ଭ ମାତ୍ର। ଯାତ୍ରା ବହୁତ ଲମ୍ବା ଅଛି ଏବଂ ଲୋକଙ୍କ ଆଶୀର୍ବାଦରେ ସବୁ କିଛି ଠିକ୍ ଚାଲିଥିବା ସୋନୁ ସୁଦ କହିଛନ୍ତି।
ଅଭିନେତା କହିଛନ୍ତି, ମୋତେ ଜନତାଙ୍କ ବହୁତ ସମର୍ଥନ ମିଳିଛି। ଯେଉଁ କାମ ମୁଁ ଆରମ୍ଭ କରିଛି, ସେଥିରେ ମୋତେ ପ୍ରେରଣା ଏବଂ ଉତ୍ସାହ ମିଳୁଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ମୋ ଉପରେ ଲୋକଙ୍କ ବିଶ୍ଵାସ ଆହୁରି ମଜବୁତ ହୋଇଛି। ଆମେ ଆପଣଙ୍କ ସହ ରହିଛୁ ବୋଲି ଲୋକେ କହିଛନ୍ତି। ମୁଁ ମଧ୍ୟ ମଜବୁତର ସହ ନିଜର କାମ କରି ଚାଲିବି। ଲାଗୁଛି ମୋ ପ୍ରତି ଲୋକଙ୍କ ବିଶ୍ଵାସ ଆହୁରି ବଢି ଯାଇଛି ବୋଲି ସୁଦ୍ କହିଛନ୍ତି।
ସୋନୁ ସୁଦ କହିଛନ୍ତି, ଯେଉଁ ସମୟରେ ଆୟକର ବିଭାଗ ତାଙ୍କ ବାସଭବନ ଉପରେ ଯାଞ୍ଚ ଚଳାଇଥିଲା ସେହି ସମୟରେ ମୋ ପାଖକୁ ୫୩ ହଜାର ବିନା ପଢିଥିବା ଇମେଲ୍ ଆସିଥିଲା। ଆଉ ୮ ହଜାର ବିନା ପଢିଥିବା ମେସେଜ୍ ଆସିଥିଲା। ପ୍ରାୟ ଦେଢରୁ ଦୁଇ ଲକ୍ଷ ଲୋକେ ପ୍ରତି ଚାରିରୁ ପାଞ୍ଚ ଦିନରେ ସାହାଯ୍ୟ ପାଇଁ ନିବେଦନ କରିଥାନ୍ତି। କିନ୍ତୁ ସମସ୍ତଙ୍କୁ ଫିଜିକାଲ ସାହାଯ୍ୟ ପହଞ୍ଚାଇବା ମୁସ୍କିଲ। କିନ୍ତୁ ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ କେମିତି ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚି ପାରିବ। ଯେଉଁ ବିଶ୍ଵାସର ସହ ଲୋକେ ଆମ ଉପରେ ଭରସା ରଖିଛନ୍ତି, ତାକୁ ପୂରଣ କରିବା ମୋର ଦାୟିତ୍ଵ। ଅଧିକାଂଶ ଲୋକଙ୍କୁ ମେଡିକାଲ, ଶିକ୍ଷା ସମ୍ବନ୍ଧିତ ସାହାଯ୍ୟ ପ୍ରଦାନ କରିବା ଉପରେ ଧ୍ୟାନ ଦେଉଥିବା କହିଛନ୍ତି ସୋନୁ ସୁଦ।