
ସିଏମସିରେ ଏବେ ଅନ୍ଲାଇନ୍ରେ ଏବଂ ଅଫ୍ଲାଇନ୍ରେ ହୋଲଡିଂ ଟିକସ ଦାଖଲ ବନ୍ଦ । ଟିକସ ଦାଖଲ କରିନପାରି ସିଏମ୍ସିରୁ ଫେରୁଛନ୍ତି ଲୋକେ । ଏବେ ଇ-ମ୍ୟୁନିସିପାଲ ଆପ୍ଲିକେସନ୍କୁ ବନ୍ଦ ରଖାଯାଇ ଥିବା ବେଳେ ନିଗମ ତରଫରୁ ଅଫ୍ଲାଇନ୍ ଟିକସ ଆଦାୟକୁ ମଧ୍ୟ ବନ୍ଦ ରଖାଯାଇଛି । ଏଥିପାଇଁ ପ୍ରତିଦିନ ଅନେକ ଲୋକ ସିଏମ୍ସି କାର୍ଯ୍ୟାଳୟକୁ ଟିକସ ଦେବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି ।
ଗତ ଜୁନ୍ରୁ ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍ରେ ଟିକସ ଆଦାୟ କରାଯାଉଥିଲାବେଳେ ରାଜ୍ୟ ସରକାରଙ୍କ ଇ-ମ୍ୟୁନିସିପାଲ୍ ଆପ୍ଲିକେସନ୍କୁ ଯାଇ ସାଧାରଣ ଲୋକେ ହୋଲଡିଂ ଟିକସ ଦେଉଥିଲେ। ମାତ୍ର ଗତ ଏକ ସପ୍ତାହ ହେବ ଏହାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି। ବିଭାଗ ପକ୍ଷରୁ ଇ-ମ୍ୟୁନିସିପାଲ୍ ଆପ୍ଲିକେସନ୍ ବଦଳରେ ଆସନ୍ତା ଦିନରେ ସୁଯୋଗ ଆପ୍ଲିକେସନ୍ରେ ବିଭିନ୍ନ ଟିକସ୍ ଦେବାର ବ୍ୟବସ୍ଥା କରାଯାଉଛି।
ଏଥିପାଇଁ ଗତ କିଛି ଦିନ ଧରି ସମସ୍ତ ଡାଟା ଅପ୍ଡେଟ୍ କରାଯିବା ସହିତ ଇ-ମ୍ୟୁନିସିପାଲ ଆପ୍ଲିକେସନ୍କୁ ବନ୍ଦ ରଖାଯାଇଛି। ସଧାରଣ ଲୋକେ ସମସ୍ୟାରେ ପଡୁଥିବା ବେଳେ ଏହା ଉପରେ ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।