ଓଡ଼ିଶାମୁଖ୍ୟ ଖବର

ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଖାଖି ପରେ ଖସିଲା ପାରଦ

ସ୍ୱଳ୍ପରୁ ମଧ୍ୟମ ଧରଣରର ବର୍ଷାରେ ଭିଜିବ ରାୟଗଡ଼ା, କୋରାପୁଟ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି

ଅନ୍ୟ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବାରୁ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟର କୌଣସି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଏବେ କିଛି ଦିନ ରାଜ୍ୟରେ ତାପମାତ୍ରା ବିଶେଷ ବଢ଼ିବନି । ୬ ତାରିଖ ପରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

୧୨ ପରେ ତାତି ବଢ଼ିବ । ସେହିପରି ୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ତା’ର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି।ରବିବାର ସକାଳ ୮ଟା ୩୦ ସୁଦ୍ଧା ଫୁଲବାଣୀରେ ୧୬ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ଓ କୋରାପୁଟରେ ୧୫ ମିଲିମିଟର୍‌, ପାରଳାଖେମୁଣ୍ଡିରେ ୭ ମିଲିମିଟର, ଭବାନୀପାଟଣାରେ ୩ ମିଲିମିଟର, ରାୟଗଡ଼ାରେ ୧ ମିଲିମିଟର ଓ କେନ୍ଦୁଝରରେ ସାମାନ୍ୟ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ତେବେ ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା । ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ।

Show More

Related Articles

Back to top button