ବାଣିଜ୍ୟ

୨୦୨୨ରେ ଆସିବ ୫ଜି

ମାର୍ଚ୍ଚରେ ସ୍ପେକ୍ଟ୍ରମ୍ ନିଲାମ, ପ୍ରଥମେ ମେଟ୍ରୋ ସହରରୁ ଆରମ୍ଭ

ଆସନ୍ତା ବର୍ଷରୁ ଦେଶରେ ୫ଜି ସେବା ଆରମ୍ଭ ହେବ । ପ୍ରଥମେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମେଟ୍ରୋ ସହର ଏବଂ ଗୁରୁଗ୍ରାମ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଭଳି ବଡ଼ ବଡ଼ ସହରରେ ଗ୍ରାହକ ୫ଜି ସେବା ପାଇବେ । ସରକାର ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ସ୍ପେକ୍ଟ୍ରମ ନିଲାମ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି । ଏ ବର୍ଷ ସେପ୍ଟେମ୍ବରରେ ଦୂରସଞ୍ଚାର ବିଭାଗ(ଡଟ୍‌) ଟେଲିକମ୍‌ ନିୟାମକ ଟ୍ରାଇଠାରୁ ସ୍ପେକ୍ଟ୍ରମ ନିଲାମ ପାଇଁ ସଂରକ୍ଷିତ ମୂଲ୍ୟ ବା ରିଜର୍ଭ ପ୍ରାଇସ୍‌, ବ୍ୟାଣ୍ଡ୍‌ ଯୋଜନା, ବ୍ଲକ୍‌ ସାଇଜ୍‌ ଏବଂ ସ୍ପେକ୍ଟ୍ରମ ଉପଲବ୍ଧତାକୁ ନେଇ ସୁପାରିସ ମାଗିଥିଲା । ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାର୍‌ଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡରେ ୫ଜି ପରୀକ୍ଷଣ ସାଇଟ୍‌ ସ୍ଥାପନ କରିଛନ୍ତି । ଦିଲ୍ଲୀ, ଜାମ୍‌ନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷେ୍ନø, ପୁଣେ, ଗାନ୍ଧୀନଗର ଏବଂ ଏହିଭଳି ବଡ଼ ବଡ଼ ସହରରେ ଆସନ୍ତା ବର୍ଷ ୫ଜି ସେବା ଆରମ୍ଭ ହେବ । ସୂଚନାଯୋଗ୍ୟ, ଦୂରସଞ୍ଚାର କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ୨୦୧୪ରୁ ୨୦୨୧ ମଧ୍ୟରେ ପ୍ରାୟ ୧୫୦% ବଢ଼ି ୧,୫୫,୩୫୩ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୦୨ରୁ ୨୦୧୪ ମଧ୍ୟରେ ୬୨,୩୮୬ କୋଟି ଟଙ୍କା ଥିଲା । ସୂତ୍ରରୁ ଜଣାପଡ଼ିଛି ଯେ, ୫ଜି ପରୀକ୍ଷଣ ଯୋଜନା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

୫ଜି ପରୀକ୍ଷଣ କରାଉଥିବା ଏଜେନ୍ସିଗୁଡିକ ମଧ୍ୟରେ ଆଇଆଇଟି ମୁମ୍ବାଇ, ଆଇଆଇଟି ଦିଲ୍ଲୀ, ଆଇଆଇଟି-ହାଇଦ୍ରାବାଦ, ଆଇଆଇଟି-ମାଡ୍ରାସ, ଆଇଆଇଟି-କାନପୁର, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ବେଙ୍ଗାଲୁରୁ(ଆଇଆଇଏସ୍‌ସି), ସୋସାଇଟି ଫର୍‌ ଆପ୍ଲାଏଡ୍‌ ମାଇକ୍ରୋୱେବ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ୍‌ ରିସର୍ଚ୍ଚ ଏବଂ ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ୱେର୍‌ଲେସ୍‌ ଟେକ୍ନୋଲୋଜି ଆଦି ସାମିଲ ଅଛନ୍ତି । ୩୬ ମାସ ଧରି ଏଜେନ୍ସିଗୁଡିକ ୫ଜି ସେବା ଉପରେ କାର୍ଯ୍ୟ କରୁଛନ୍ତି । ୨୨୪ କୋଟିର ୫ଜି ପରୀକ୍ଷଣ ଯୋଜନା ୨୦୨୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଅନୁମାନ କରାଯାଉଛି । ଏହାଦ୍ୱାରା ଦେଶରେ ୫ଜି ୟୁଜର ଡିଭାଇସ୍‌ ଏବଂ ନେଟ୍‌ୱର୍କ ଡିଭାଇସ୍‌ ପରୀକ୍ଷଣର ରାସ୍ତା ପରିସ୍କାର ହୋଇଯିବ । ୫ଜି ଆସିବା ପରେ ମୋବାଇଲ ଫୋନ୍‌ର ଦୁନିଆ ବଦଳିଯିବ । ଏକ ଅନୁମାନ ମୁତାବକ ୫ଜି ସ୍ପିଡ୍‌ ୪ଜିଠାରୁ ୧୦ ଗୁଣା ଅଧିକ । ୫ଜି ସେବାର ଆରମ୍ଭ ଡିଜିଟାଲ କ୍ରାନ୍ତିକୁ ଏକ ନୂଆ ଦିଗ ଦେବ । ଏଥିରୁ ଦେଶର ଅର୍ଥବ୍ୟବସ୍ଥାକୁ ଫାଇଦା ମିଳିବ । ଇ-ଗଭର୍ଣ୍ଣାନ୍ସ ସମ୍ପ୍ରସାରଣ ହେବ । ଲୋକଙ୍କ ଜୀବନ ସହଜ ହୋଇଯିବ ।

Show More

Related Articles

Back to top button