ବାଣିଜ୍ୟ

୨୦୦ କୋଟି ଟଙ୍କାର ଜିଏସଟି ଠକେଇ ମାମଲାରେ ୪ଜଣ ଗିରଫ

ଗତ କିଛି ସପ୍ତାହରେ ୨୦୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ୪ଜଣ କିଛି ବର୍ଷ ମଧ୍ୟରେ ୧୦୦୦ କୋଟିର ଜାଲ୍ ସେବା ପ୍ରଦାନ କରିବା ନାଁରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ନକଲି ଚାଲାଣ ପ୍ରସ୍ତୁତ କରୁଥିଲେ

ନିକଟରେ ବେଙ୍ଗାଲୁରୁରେ ଜିଏସଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ ବିଭିନ୍ନ ରାକେଟର ପର୍ଦ୍ଦାଫାସ କରିଥିଲା । ଏହି ପର୍ଦ୍ଦାଫାସ ବେଳେ ଏହି ଠକେଇ ସାମ୍ନାକୁ ଆସିଛିଲା । ମୁମ୍ବାଇ ସ୍ଥିତ ଚୀନ ଫାର୍ମା ସହ ଅନେକ ସ୍ଥାନରେ ଚଢାଉ କରାଯିବା ବେଳେ ନିକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ସମ୍ବନ୍ଧିତ ଅନେକ ଦସ୍ତାବିଜ ଜବତ ହୋଇଥିଲା । କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ତାହାର ଆକଳନ ଏବେବି ଜାରି ରହିଛି । ଗୁଇନ୍ଦା ବିଭାଗର ସୂତ୍ରାନୁସାରେ, ଦିଲ୍ଲୀର କମଳେଶ ମିଶ୍ର ଫର୍ଜି ଫାର୍ମ କରି ୫୦୦ କୋଟିର ନକଲି ଚାଲାଣ ବା ରସିଦ ପ୍ରସ୍ତୁତ କରୁଥିଲେ ।କମଳେଶ ଦେଶର ବିଭିନ୍ନ ଗରିବ ଲୋକଙ୍କ ନାଁରେ ୨୩ଟି କମ୍ପାନୀ କରିଥିଲେ । ବେଙ୍ଗାଲୁରୁର କିଛି ଏପରି କମ୍ପାନୀ ଥିଲା ଯାହାର ପ୍ୟାନ୍ ଓ ଆଧାର ନମ୍ବର ଥିଲା । ଜଣେ ଅଧିକାରୀଙ୍କ କହିବାନୁସାରେ, ସେ ନିଜର ଦସ୍ତାବିଜକୁ ଉପଯୋଗ କରି ନିଜ ନାମରେ କମ୍ପାନୀ କରି ୮୦ କୋଟିର ନକଲି ଚାଲାଣ କରିଥିଲେ ।ବେଙ୍ଗାଲୁରୁର ଜଣେ ଅଧିକାରୀଙ୍କ କହିବାନୁସାରେ, ତଦନ୍ତ ବେଳେ ସେହିମାନଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ଜାଲ୍ କମ୍ପାନୀର ନିର୍ଦ୍ଦେଶକ ହୋଇଥିଲେ । ଜିଏସଟି ଘୋଟାଲା ବାବଦରେ ଚିହ୍ନଟ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଗୁଇନ୍ଦା ଅଧିକାରୀଙ୍କ କହିବାନୁସାରେ, ବେଙ୍ଗାଲୁରୁର ବ୍ୟବସାୟୀ ବିୟାଲଦୁଗୁ କୃଷ୍ଣେୟା କିଛି ଚୀନ୍ ନାଗରିକଙ୍କ ସହ ମିଶି ମଙ୍କି ପ୍ରମୋସନ ଇଣ୍ଡିଆ ନାମକ ଏକ ଫାର୍ମ କରିଥିଲେ । ଫାର୍ମରେ ସେ ଚୀନ କମ୍ପାନୀ ପାଇଁ ନକଲି ଚାଲାଣ ପ୍ରସ୍ତୁତ କରୁଥିଲେ । ଏଥିରେ ସେ ସାମଗ୍ରୀ ଓ ସେବା ବିକ୍ରି କରିଥିବା ନେଇ ଦାବି କରିଥିଲେ । ସେ ଓ୍ୱିଚାଟ୍ ମେସେଜିଂ ସେବା ମାଧ୍ୟମରେ ବିଭିନ୍ନ ଲୋକଙ୍କ ସହ କଥା ହେଉଥିଲେ । ଏହାସହ ଚୀନ୍ ନାଗରିକଙ୍କ ପାଇଁ କ୍ରିପଟୋ କରେନ୍ସି ମଧ୍ୟ ସଂଗ୍ରହ କରୁଥିଲେ ।ନିକଟରେ ମୁମ୍ବାଇ ସ୍ଥିତ କିଛି ଚୀନ୍ କମ୍ପାନୀ ଉପରେ ଚଢାଉ ହୋଇଥିଲା । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ଏହାପରେ କୃଷ୍ଣାଙ୍କ ଠକାମୀର ପେଡି ଖୋଲିଥିଲା । କୃଷ୍ଣା ଏବେ ବେଙ୍ଗାଲୁରୁ ଜେଲରେ ରହିଛନ୍ତି । ବିଦେଶୀ ନାଗରିକଙ୍କ ସହ ତାଙ୍କର ଆର୍ଥିକ ନେଣଦେଣର ତଦନ୍ତ ମଧ୍ୟ ଚାଲିଛି । କର୍ଣ୍ଣାଟକର ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ନକଲି ଚାଲାଣ ଜାରି କରିଥିବା ବେଙ୍ଗାଲୁରୁର ବେନଷ୍ଟାର୍ ପାଓ୍ୱାର ଟେକନୋଲୋଜି ଇଣ୍ଡିଆ ଲିମିଟେଡର ମଧ୍ୟ ଗୁମର ଫିଟିଛି । କିଙ୍ଗପିନ୍, ବେନଷ୍ଟାରର ନିର୍ଦ୍ଦେଶକ ସୁରେଶ ମେହେତାଙ୍କୁ ଗିରଫ କରାଯାଇ ୧୨ କୋଟି ଟଙ୍କା ଜବତ ହୋଇଛି ।

Show More

Related Articles

Back to top button