Breaking PLUSଦେଶମୁଖ୍ୟ ଖବର

ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 11ମୃତ

ଭରତପୁର: ରାଜସ୍ଥାନର ଭରତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭରତପୁର ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ଆଗରା-ଜୟପୁର ଜାତୀୟ ରାଜପଥ-21ରେ ହନ୍ତାରା ନିକଟରେ ବୁଧବାର ଭୋର 5.30 ମିନିଟ ସମରେ ଏହି ଦୁର୍ଘଟଣା ଘଟିଛି । ବସ ଓ ଟ୍ରକ ମଧ୍ୟରେ ଧକ୍କ ଯୋଗୁ 11ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 12ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 6ଜଣ ମହିଳା ଓ 5ଜଣ ପୁରୁଷ ଅଛନ୍ତି । ସମସ୍ତ ମୃତକ ଗୁଜରାଟ ଭାବନଗରର ବୋଲି ସୂଚନା ମିଳିଛି ।

ପୋଲିସ ମୁତାବକ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ବସରେ 45ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ବସଟି ଭାବନଗରରୁ ମଥୁରା ଦେଇ ହରିଦ୍ୱାର ଯାଉଥିଲା । ତେବେ ସକାଳେ ଭରତପୁର-ଆଗରା ଜାତୀୟ ରାଜପଥରେ ବସଟି ଅଚାନକ ଖରାପ ହୋଇଯାଇଥିଲା । ଡ୍ରାଇଭରଙ୍କ ସମେତ ତାଙ୍କ ସହଯୋଗୀ ଏବଂ ଯାତ୍ରୀମାନେ ବସରୁ ଓହ୍ଲାଇପଡିଥିଲେ । ଡ୍ରାଇଭର ଓ ତାଙ୍କ ସହଯୋଗୀ ବସର ମରାମତି କରୁଥିବା ବେଳେ ଗୋଟିଏ ଟ୍ରକ ବସଟିକୁ ଧକ୍କା ଦେଇଥିଲା ଏବଂ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡିଯାଇ ଘଟଣାସ୍ଥଳରୁ ପଳାଇଯାଇଥିଲା ।

ରାସ୍ତାରେ ଯାଉଥିବା ଅନ୍ୟ ଗାଡିର ଡ୍ରାଇଭର ଦୁର୍ଘଟଣା ନେଇ ପୋଲିସକୁ ଖବର ଦେବା ସହ ଆମ୍ବୁଲାନ୍ସ ଡାକିଥିଲେ । ଦୁର୍ଘଟଣା ପରେ ମୃତଦେହଗୁଡିକ ଜାତୀୟ ରାଜପଥ ଉପରେ ଖେଳାଇ ହୋଇ ପଡିରହିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ମୃତଦେହକୁ ହଟାଇ ଏକ ପାର୍ଶ୍ୱକୁ ଆଣିଥିଲେ । ସମସ୍ତ ମୃତଦେହକୁ ଭରତପୁର ଜିଲ୍ଲା ହସ୍ପିଟାଲରେ ଶବାଗାରରେ ରଖାଯାଇଛି ।
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିର ପତ୍ତା ମିଳିପାରିନାହିଁ । ଆହତଙ୍କ ଅବସ୍ଥା ଏବେ ବି ଗମ୍ଭୀର ରହିଛି । ହୋସ ଫେରିବା ପରେ ସେମାନଙ୍କ ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button