Breaking PLUSଅପରାଧଓଡ଼ିଶା

ଶିକ୍ଷକଙ୍କ ମାଡ଼ରେ ଆଖି ବୁଜିଲେ ଛାତ୍ର

ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହ ଠିକ୍‌ ରାସ୍ତା ଦେଖାଇବାକୁ ନିଯୁକ୍ତ ହୋଇଥିବା ଶିକ୍ଷକ ଛାତ୍ରଙ୍କ ଉପରେ ଶୁଝାଇଲେ ରାଗ । ସାମାନ୍ୟ କଥାକୁ ନେଇ ଜଣେ ଛାତ୍ରଙ୍କୁ ନିର୍ଧୂମ ପିଟିବାରୁ ଅକାଳରେ ଆଖି ବୁଜିଲେ ଛାତ୍ର। ଏଥିନିମନ୍ତେ ସମ୍ପୃକ୍ତ ଶିକ୍ଷକଙ୍କୁ ଦାୟୀ କରି ସ୍କୁଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର ଲୋକେ। ଏପରି ଏକ ଘଟଣା ବାଲେଶ୍ୱର ଖନ୍ତାପଡା ଥାନା କୁଳିଗାଁ ପଞ୍ଚାୟତର ବଂଶୀଧର ବିଦ୍ୟାପୀଠରେ ଘଟିଛି। ମୃତ ଛାତ୍ରଜଣକ ହେଲେ ସୁମନ । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକଜଣକ ବଂଶୀଧର ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଳିକ ବୋଲି ଜଣାଯାଇଛି। ଖବର ଅନୁଯାଇ କୌଣସି କାରଣକୁ ନେଇ ହିନ୍ଦୀ ଶିକ୍ଷକଙ୍କ ପୁତୁରା ସୂର୍ଯ୍ୟକାନ୍ତ ଓ ତାଙ୍କ ସହପାଠୀ ସୁମନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ସୂର୍ଯ୍ୟକାନ୍ତ ନିଜ ଦାଦାଙ୍କୁ ଅବଗତ କରିଥିଲେ। ଏହାପରେ ଆକ୍ରୋଶମୂଳକ ଭାବେ ହିନ୍ଦୀ ଶିକ୍ଷକ ମନୋରଞ୍ଜନ ଶନିବାର ଖେଳ ଛୁଟି ପରେ ସୁମନଙ୍କୁ ସ୍କୁଲ ଅଫିସକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି। ଉକ୍ତ ଦିନ ସୁମନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧିନ ଅବସ୍ଥାରେ ସେହି ମେଡ଼ିକାଲରେ ହିଁ ପ୍ରାଣ ହରାଇଥିଲେ ସୁମନ। ଏନେଇ ଖନ୍ତାପଡ଼ା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ସହ ବିଦ୍ୟାଳୟର ସାମ୍ନାରେ ମୃତଦେହକୁ ରଖି ଧାରଣା ଦେଇଥିଲେ। ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠି ମୃତକଙ୍କ ଶେଷକୃତ୍ୟ କରିଥିବା ଜଣାଯାଇଛି। ଅଭିଯୋଗ ଆଧାରରେ ଖନ୍ତାପଡ଼ା ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ତେବେ ଘଟଣା ସଂପର୍କରେ ଶିକ୍ଷକ ମନୋରଂଜନ ମଳିକ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଖନ୍ତାପଡ଼ା ବିଇଓ କହିଛନ୍ତି, ଘଟଣା ବାବଦରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଛି। ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Show More

Related Articles

Back to top button