Breaking PLUSଓଡ଼ିଶା

ରାଜ୍ୟର ୧୫ ଜିଲ୍ଲାକୁ ରହିଛି ଭୂମିକମ୍ପର ବିପଦ

ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ଜିଲ୍ଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ) ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍‌ ହାଜାର୍ଡ ଜୋନିଂ ଆଟଲାସ ଅଫ୍‌ ଇଣ୍ଡିଆ-୨୦୧୬ ତଥ୍ୟ ଅନୁଯାୟୀ ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ(ଜୋନ-୩) ଭାବେ ଘୋଷଣା କରାଯାଇଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଏହି ସୂଚନା ଦେଇଛନ୍ତି।
ତାରାଙ୍କ ପ୍ରଶ୍ନ ଅନୁଯାଇ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହିସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି। ଅଉ ଉତ୍ତରରେ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାବ୍ୟତୀତ ଏ ସମ୍ପର୍କରେ ବିଭିନ୍ନ ସ୍କୁଲରେ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ତାଲିମ ମଧ୍ୟ ଦିଆଯାଉଛି। କେବଳ ଏତିକି ନୁହେଁ ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ରାଜ ମିସ୍ତ୍ରିମାନଙ୍କୁ ଭୂମିକମ୍ପ ସହଣୀୟ ନିର୍ମାଣ କାର୍ଯ୍ୟ ବିଷୟରେ ତାଲିମ ଦିଆଯାଉଛି। ଏହାଛଡ଼ା ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷା ପାଠ୍ୟ ଖସଡ଼ାରେ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପ୍ରାକୃତିକ ବିପଦ ରାଜ୍ୟରେ ଦାଉସାଧୁଛି। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ବହୁମୂଲ୍ୟ ଜୀବନ ଓ ଧନସମ୍ପତ୍ତି ଉଜାଡି ଦେଉଛି। ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ନଦୀ, ପୋଖରୀ ଆଦିରେ ବୁଡ଼ି ସର୍ବାଧିକ ୭୮୭୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସାପ କାମୁଡ଼ାରେ ୫୨୧୯ ଜଣଙ୍କ ମୃତ୍ୟୁ ଘଟିଛି।ଏହା ଛଡା  ବଜ୍ରପାତରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ୭୫୯, ବାତ୍ୟାରେ ୧୪୦, ଡଙ୍ଗା ବୁଡ଼ିରେ ୪୬, ବନ୍ୟାରେ ୭୩, ଗ୍ରୀଷ୍ମପ୍ରବାହରେ ୧୪୧, ଚକ୍ରବାତରେ ୩୧ ଓ ପ୍ରବଳ ବର୍ଷାରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୟୂରଭଞ୍ଜ ଜିଲାର ସର୍ବାଧିକ ୬୫୧ ଜଣ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ସେହିପରି ସାପ କାମୁଡ଼ାରେ ସର୍ବାଧିକ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ରପାତ ଓ ଅଗ୍ନିକାଣ୍ଡରେ ମଧ୍ୟ ମୟୂରଭଞ୍ଜ ଜିଲାରେ ଯଥାକ୍ରମେ ସର୍ବାଧିକ ୨୧୦ ଓ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷାରେ ଏହି ଜିଲାରେ ଗତ ୫ ବର୍ଷରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲାରେ ପାଣିରେ ବୁଡ଼ି ୨୭୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ ୧୦୩, ବାଲେଶ୍ୱରରେ ୫୯୨, ବରଗଡ଼ରେ ୧୧୫, ଭଦ୍ରକରେ ୪୦୪, ବୌଦ୍ଧରେ ୧୭, କଟକରେ ୩୬୪, ଦେବଗଡ଼ରେ ୯୭, ଢେଙ୍କନାଳରେ ୩୩୮, ଗଜପତିରେ ୫୨, ଗଞ୍ଜାମରେ ୬୦୫, ଜଗତ୍‌ସିଂହପୁରରେ ୧୫୦, ଯାଜପୁରରେ ୩୭୭, ଝାରସୁଗୁଡ଼ାରେ ୧୪୯, କଳାହାଣ୍ଡିରେ ୧୨୬, କନ୍ଧମାଳରେ ୧୦୯, କେନ୍ଦ୍ରାପଡ଼ାରେ ୩୮୭, କେନ୍ଦୁଝରରେ ୫୪୫, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୬୧, ମାଲକାନଗିରିରେ ୨୫୦, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୭୭, ପୁରୀରେ ୨୯୫, ରାୟଗଡ଼ାରେ ୬୯, ସମ୍ବଲପୁରରେ ୨୮୯, ସୁବର୍ଣ୍ଣପୁରରେ ୬୮ ଓ ସୁନ୍ଦରଗଡ଼ରେ ୪୦୫ ଜଣଙ୍କର ମୃତ୍ୟୁ ଘଟିଛି।

Show More

Related Articles

Back to top button