ଓଡ଼ିଶାସ୍ୱତନ୍ତ୍ର

ଭୋଜି

ପିଲାଦିନେ କେତେ ଭୋଜି ମୁଁ ଖାଇଛି
ଠାକୁର ଦାଣ୍ଡ ରେ ବସି,
ମୁଗ ଖେଚୁଡ଼ି  କୁ  ସିରିଣୀ  ଚକଟା
ବାଳ ଭୋଗ ଲଡ଼ୁ ରାଶି l

ଅଷ୍ଟ ପ୍ରହରୀ ରେ  ପଙ୍ଗତେ ପତର
ଧରି ତଳେ ଯାଉ ବସି,
ଡାଲମା, ଖଟା କୁ ଅରୁଆ ଅନ୍ନ ଯେ
ଅମୃତ ପରାଏ ବାସି l

ଏକୋଇଶିଆ ରେ ପୁରୀ ବୁଟ ଡାଲି
ଖିରି କଦଳୀ ଚକଟା,
ପତର କୁ ଶୋଭା ଟମାଟର  ଖଟା
ସାଥେ ମାମୁଁ ଘର ମିଠା l

ବାହା ପୁଆଣୀ ରେ ବିରି ଡାଲି ସାଥେ
ଭାତ,ଓଉଖଟା,ଖିରି,
ମରିଚ ପାଣି କୁ ପୋଟଳ ରସା  ଯେ
ନାନା ବିଧ ତରକାରୀ l

ମଡ଼ା ପୋଡା ପରେ ଦାଣ୍ଡ ଦୁଆର ରେ
ପତରେ ଚୁଡା ହୁଡୁମ,
ବସା ଦହି  ସାଙ୍ଗେ  ଗୁଡ଼  ନଡ଼ିଆ ର
ଅପୂର୍ବ ସେହି ମିଳନ l

ନବମୀ ପଣା ରୁ  ବାର  ପତର ଯେ
ଭୋଜି ଭାତ ର ଆସର,
ମିଠା,ପିଠା ପଣା, ଛଣା  ଛଣି  ଲୁଣି
ବାସ ଆସେ ଆମିଷ ର l

ବାର ମାସେ ତେର  ଓଷା ବ୍ରତ ସବୁ
ସଜେଇ ରଖିଚୁ ଆମେ,
ଜନମ ରୁ  ମୃତ୍ୟୁ  ଖାଇବା  ପାଇଁକି
ନାନା ଠାକୁରଙ୍କ ନାମେ l

ଖାଦ୍ୟ ପ୍ରିୟ ଆମ  ଜଗତର  ନାଥ
ଏଠି ତାଙ୍କ ଖାଦ୍ୟ ସ୍ଥାନ,
ଷାଠିଏ  ପଉଟି  ଭୁଞ୍ଜିବା  ଉତ୍ତାରୁ
ପୋଡ଼ ପିଠା ଠେଇଁ ମନ l

ଖାଇବା ଖୋଇବା  ଚାଲିଥାଉ ନିତି
ଥାଉ ପ୍ରଭୁ  ଆଶୀର୍ବାଦ,
ପୁରିଗଲେ  ପେଟ  ହୃଦୟ  ହସିବ
ସବୁ  କାମ  ହେବ ସିଦ୍ଧ l

ଲେଖା :ଦିଲ୍ଲୀପ ଶତପଥୀ

Show More

Related Articles

Back to top button