ବିଜେପି ବିଧାୟକଙ୍କ ବାସଭବନରେ ଜୀବନ ହାରିଲେ ଯୁବକ

ଗତ ରବିବାର ବିଳମ୍ବିତ ରାତିରେ ‘ବିଜେପି’ ବିଧାୟକ ଯୋଗେଶ ଶୁକ୍ଲାଙ୍କ ଲକ୍ଷ୍ନୌସ୍ଥିତ ସରକାରୀ ବାସଭବନରେ ଜଣେ ଯୁବକ ଜୀବନ ହାରିଥିବା କଥା ସୂଚନା ମିଳିଛି ବିଧାୟକ ଶୁକ୍ଲାଙ୍କ ସରକାରୀ ବାସଭବନ ଲକ୍ଷ୍ନୌ ସହରର ହଜରତଗଞ୍ଜ ଅଞ୍ଚଳରେ ଅବସ୍ଥିତ। ଆଉ ମୃତ ଯୁବକ ହେଉଛନ୍ତି ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲା ଅନ୍ତର୍ଗତ ହାଇଦରଗଡ଼ ନିବାସୀ ୨୪ ବର୍ଷିୟ ଶ୍ରେଷ୍ଠ ତିୱାରୀ। ସେ ଲକ୍ଷ୍ନୌ ଅନ୍ତର୍ଗତ ବକ୍ସି କା ତାଲାବ୍ (ବିକେଟି) ବିଧାନସଭା ନିର୍ବାଚନ ମଣ୍ଡଳୀରର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଯୋଗେଶ ଶୁକ୍ଲାଙ୍କ ସହିତ ସମ୍ପୃକ୍ତ ଥିବା ଗଣମାଧ୍ୟମ ଟିମ୍ର ଅନ୍ୟତମ ସଦସ୍ୟ ଥିଲେ। ତେବେ ବିଧାୟକ ଶୁକ୍ଲାଙ୍କ ହଜ୍ରତ୍ଗଞ୍ଜ ବାସଭବନ ଫ୍ଲାଟ୍ ନମ୍ବର ୮୦୪ ଭିତରେ ସେ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ତାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ହଜ୍ରତ୍ଗଞ୍ଜ ଇନ୍ସ୍ପେକ୍ଟର୍ ପ୍ରୋମଦ କୁମାର ପାଣ୍ଡେ କହିଛନ୍ତି ଯେ, ଜୀବନ ହରାଇବା ପୂର୍ବରୁ ଶ୍ରେଷ୍ଠ ତିୱାରି ଜଣେ ପରିଚିତ ବ୍ୟକ୍ତିଙ୍କୁ ଫୋନ୍ କରି ସେ କଥା ଜଣାଇଥିଲେ। ସେ ବ୍ୟକ୍ତିଜଣକ ଏ ବିଷୟ ପୁଲିସକୁ କହିବାରୁ ଫ୍ଲାଟ୍ ନମ୍ବର ୮୦୪କୁ ପୁଲିସ ଟିମ୍ ପଠାଗଲା। ସେମାନେ ପହଞ୍ଚି ଦେଖିଲେ ଭିତରୁ କବାଟ ଦିଆ ହୋଇଛି। ଏହା ପରେ କବାଟ ଭାଙ୍ଗି ଭିତରେ ପଶିବାରୁ ଦେଖାଗଲା ଶ୍ରେଷ୍ଠ ଫାଶୀ ଲଗାଇଛନ୍ତି। ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ପାରିବାରିକ ବିବାଦରୁ ସେ ଜୀବନ ହରାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବୋଲି ସୂଚନା ଦେଇ ପୁଲିସ କହିଛି ଯେ, କେଉଁ କଥାକୁ ନେଇ ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ ତଦନ୍ତ ଆରମ୍ଭ ହୋଇଛି।