Breaking PLUSଆଇନ କାନୁନଓଡ଼ିଶା

ବାରବାଟୀ ବିଧାୟକ ମୋକିମ୍‌ଙ୍କୁ ୧୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ

ବାରବାଟୀ-କଟକ ନିର୍ବାଚନୀ ମାମଲାରେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ ୧୦ ହଜାର ଟଙ୍କା ତଣ୍ଡ ଗଣିବେ। ଶ୍ରୀ ମୋକିମ୍‌ଙ୍କୁ ୧୦ ହଜାର ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ୱେଲଫେୟାର୍‌ ପାଣ୍ଠିରେ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷ୍ୟ ଗ୍ରହଣ ପାଇଁ ଶ୍ରୀ ମୋକିମ୍‌ଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯିବାରୁ ହାଇକୋର୍ଟ ଏଥିପାଇଁ ସମୟ ଦେଇଥିଲେ। ଅଦାଲତଙ୍କ ସମୟ ଅପଚୟ ହେଉଥିବା କାରଣରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ମୋକିମ୍‌ଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟକ୍ତିଗତ ଅସୁବିଧା କାରଣ ଦର୍ଶାଇ ସାକ୍ଷ୍ୟ ଗ୍ରହଣ ଲାଗି ଅଧିକ ସମୟ ପ୍ରଦାନ ପାଇଁ ଏକ ଅନ୍ତରୀଣ ଆବେଦନ ଦାୟର କରିଥିଲେ। କିନ୍ତୁ ଏହି ଆବେଦନକୁ ନିର୍ବାଚନ ମୋକଦ୍ଦମାର ଆବେଦନକାରୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ବିରୋଧ କରାଯାଇଥିଲା।ଅନ୍ୟପକ୍ଷରେ ଅକ୍ଟୋବର ୬ରେ ଶ୍ରୀ ମୋକିମ୍‌ଙ୍କ ଜେରା ଶେଷ ହୋଇଥିବା ବେଳେ ତାଙ୍କ ତରଫରୁ ସାକ୍ଷ୍ୟ ପ୍ରଦାନ କରିବାକୁ ଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ସାକ୍ଷୀଙ୍କ ସତ୍ୟପାଠର କପି ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କୁ ପ୍ରଦାନ କରାଯାଇ ସାରିଛି ବୋଲି ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଅନ୍ୟ ଦୁଇ ସାକ୍ଷୀଙ୍କ ସତ୍ୟପାଠର କପି ଆସନ୍ତା ୧୫ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ଶ୍ରୀ ମୋକିମ୍‌ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୭ରେ ପରବର୍ତ୍ତୀ ଶୁଣାଣି ସମୟରେ ସାକ୍ଷୀମାନେ ଅଦାଲତରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାଇ ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମ୍‌ଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏହି ମାମଲା ରୁଜୁ କରିଥିଲେ। ଆବେଦନକାରୀ ‌ଶ୍ରୀ ସାମନ୍ତରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ୍‌ କାନୁନଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ ଏବଂ ଶ୍ରୀ ମୋକିମ୍‌ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Show More

Related Articles

Back to top button