ମନୋରଞନମନୋରଞ୍ଜନ

ବହିଦା ରେହମାନ୍ ଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

ବଲିଉଡ୍ କିମ୍ବଦନ୍ତୀ ତଥା ବର୍ଷିୟାନ୍ ଅଭିନେତ୍ରୀ ବହିଦା ରେହେମାନଙ୍କୁ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ନିମିତ୍ତ ବହିଦାଙ୍କୁ  ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟର(x) ପୋଷ୍ଟ୍‌ ଜରିଆରେ ଘୋଷଣା କରିଛନ୍ତି। ପୂର୍ବରୁ ସେ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପରି ଶୀର୍ଷ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି। ତେବେ ଦାଦାସାହେବ ଫାଲକେ ପୁରସ୍କାର ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଏବଂ ଏହାକୁ ଭାରତ ସରକାର ପ୍ରଦାନ କରିଥାନ୍ତି। ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ରେହେମାନ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।ଅନୁରାଗ ଠାକୁର ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ବହିଦା ରେହେମାନଜୀଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ଚଳିତବର୍ଷ ସମ୍ମାନଜନକ ଦାଦା ସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଥିବା ଘୋଷଣା କରି ମୁଁ ଖୁସି ଏବଂ ସମ୍ମାନ ଅନୁଭବ କରୁଛି। ବହିଦାଜୀ ‘ଗାଇଡ୍’, ‘ପ୍ୟାସା’, ‘କାଗାଜ୍ କେ ଫୁଲ’ ଏବଂ ‘ଚୌଦ୍‌ଭି କା ଚାନ୍ଦ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ପାଇଁ ପ୍ରଶଂସିତ ହୋଇଥିଲେ।

ଦୀର୍ଘ ୫ ଦଶନ୍ଧି ଧରି ପରିବ୍ୟାପ୍ତ ତାଙ୍କ କ୍ୟାରିଅରରେ ସେ ନିଜ ଭୂମିକାକୁ ଅତି ନିଖୁଣ ଭାବେ ନିଭାଇଛନ୍ତି। ‘ରେଶମା’ ଏବଂ ‘ଶେରା’ ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଜଣେ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ସିନେ-ବ୍ୟକ୍ତିତ୍ବ ୱାହିଦାଜୀ ଭାରତୀୟ ନାରୀଙ୍କ ଉତ୍ସର୍ଗୀକୃତତା, ପ୍ରତିବଦ୍ଧତା ଏବଂ ଶକ୍ତିର ଉଦାହରଣ ଦେଇଛନ୍ତି।’’

ଠାକୁର ଆହୁରି ବି ଲେଖିଛନ୍ତି ଯେ, ‘‘ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନମ୍ରତାର ସହିତ ତାଙ୍କ ସମୃଦ୍ଧ ପ୍ରତିଭାକୁ ସମ୍ମାନ ଜଣାଉଛି । ଯାହା ଆମ ଚଳଚ୍ଚିତ୍ର ଇତିହାସର ଏକ ଅନ୍ତର୍ନିହିତ ଅଂଶ ଅଟେ।’’

Show More

Related Articles

Back to top button