Breaking PLUSଓଡ଼ିଶା

ନୂଆଖାଇରେ ଉତ୍ସବ ମୂଖର ପଶ୍ଚିମ ଓଡିଶା: ମା ସମଲେଶ୍ୱରୀଙ୍କ ପାଖରେ ଲାଗିବ ନବାର୍ଣ୍ଣ

ଆଜି ନୂଆଁଖାଇ ପର୍ବରେ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଏହି ପର୍ବ ଏକ କୃଷି ଭିତ୍ତିକ ପର୍ବ ଅଟେ । ସେଥିପାଇଁ କେବଳ ପଶ୍ଚିମ ଓଡ଼ିଶା ନୁହେଁ ସାରା ରାଜ୍ୟରେ ମଧ୍ୟ ନୂଆଁଖାଇ ପର୍ବକୁ ପାଳନ କରାଯାଉଛି । କ୍ଷେତରେ ଅମଳ ହୋଇଥିବା ଶସ୍ୟକୁ ପ୍ରଥମେ ରନ୍ଧା ଯାଇ ଠାକୁରଙ୍କୁ ସମର୍ପଣ କରାଯାଏ ଏବଂ ଏହାପରେ ଘରେ ସମସ୍ତେ ଏହାକୁ ଖାଇଥାନ୍ତି । ତେଣୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ନୂଆଁଖାଇ ପର୍ବରେ ଇଷ୍ଟ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖେ ନବାର୍ଣ୍ଣ ଭୋଗ ଲାଗିଥାଏ ।

କେବଳ ଏତିକି ନୁହେଁ  ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ଏହି ଉତ୍ସବକୁ ପାଳନ କରିବା ଲାଗି ନିଜ ଘରକୁ ଫେରିଛନ୍ତି । ଘରେ ଘରେ ପିଠା ପଣାର ସୁଗନ୍ଧ ମହକିତ ହେଉଛି । ଅନେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଆଜି ସକାଳ ୧୦ଟା ୨୭ରୁ ୨୪ ମଧ୍ୟରେ ମାଆ ସମଲେଶ୍ୱରୀଙ୍କ ପାଖେ ନବାର୍ଣ୍ଣ ଭୋଗ ଲାଗି ହେବ । ମାଆଙ୍କ ମୁଖ୍ୟ ପୂଜକ ଏହାକୁ ସମଲେଶ୍ୱରୀଙ୍କୁ ଅର୍ପଣ କରିବେ । ଇଷ୍ଟ ଦେବୀଙ୍କ ଏହି ନବାର୍ଣ୍ଣ ଭୋଗ ପରେ ସମସ୍ତେ ନୂଆ ଖାଇବେ । ଏହାପରେ ସମସ୍ତେ ଗୁରୁଜନ ମାନଙ୍କୁ ଜୁହାର ହେବେ । ଏଥିସହ ଅନେକ ଉତ୍ସବମାନ ମଧ୍ୟ ପାଳିତ ହେବ । ଏଥିରେ ସମ୍ବଲପୁରୀ ଲୋକନୃତ୍ୟ ଏବଂ ସମ୍ବଲପୁରୀ ସଂଗୀତରେ ଉତ୍ସାହ ଜମିବ । ଏଥିରେ ଝୁମି ଉଠିବେ ଗାଁ ରୁ ସହରବାସୀ । ନୂଆ ଧାନର ଚାଉଳ ଆଉ ପିଠାପଣା କ୍ଷିରୀ ସାଙ୍ଗେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମସ୍ତେ ନୂଆ ଖାଇବେ ।

Show More

Related Articles

Back to top button