ଆରପାରିରେ ଯୁବ ଅଭିନେତା ନିଶିରଞ୍ଜନ କର

ଆଉ ନାହାଁନ୍ତି ନିଶିରଞ୍ଜନ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣାରେ ଓଲିଉଡ୍ର ଜଣାଶୁଣା ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା । ସେ ପୁରୀ ଜିଲା କାକଟପୁରର କାହାଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ସୂଚନା ଅନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତିରେ କାକଟପୁର ନୂଆ ବସ୍ଷ୍ଟାଣ୍ଡରୁ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ ଶିରଞ୍ଜନ । ଏହାପରେ ତୁରନ୍ତ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
୨ଟି ଫିଲ୍ମ ଓ ୫୦୦ରୁ ଊର୍ଦ୍ଧ୍ୱ ଆଲବମ୍ରେ ନିର୍ଦ୍ଦେଶନା ଦେବା ସହ ଗାୟତ୍ରୀ, ଉତ୍ତରଦାୟୀ, ବଡ଼ ଘର ବଡ଼ ଗୁମର କଥା, ଓଡ଼ିଆ ଚଳଚ୍ଚିତ୍ର ଭଲ ପାଏ ବୋଲି, ଜ୍ୟୋତ୍ସ୍ନା ଭିଜା ସେଇ ରାତି, ମନ ମୋର ଯାଯାବର, ଓମ୍ ସାଇ ରାମ୍ ଆଦି ବହୁ ଧାରାବାହିକରେ ସେ ନିପୁଣ ଅଭିନୟ କରିଛନ୍ତି। ୨ଟି ଚଳଚ୍ଚିତ୍ର ‘ଆତ୍ମା କାନ୍ଦୁଛି’ ଓ ‘ଦୁହେଁ ଦୁହିଁଙ୍କ ପାଇଁ’ର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।