କାଳବୈଶାଖୀ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ଆଶ୍ଵସ୍ତି
ତତଲା କଡେଇରେ ସୁବର୍ଣ୍ଣପୁର

ରାଜ୍ୟରେ ପାଗରେ ଦେଖିଦେଇଛି କିଛିଟା ପରିବର୍ତ୍ତନ । ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଉପକୂଳ ଓ ଉତ୍ତର ଓଡ଼ିଶା ବାସୀ କାଳବୈଶାଖୀ ବର୍ଷାରେ କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି । ହେଲେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଦେଖିବାକୁ ମିଳିଛି । ୨୪ ତାରିଖ ପରଠୁ ରାଜ୍ୟରେ କାଳବୈଶାଖୀ ଅଧିକ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବରେ ବର୍ଷା, ପଶ୍ଚିମରେ ତାତି । ଗତ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ତାତିରୁ କିଛିଟା ଆଶ୍ବସ୍ତି ମିଳିଛି । କିନ୍ତୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବୌଦ୍ଧ , ସୁବର୍ଣ୍ଣପୁର ବଲାଙ୍ଗିର ଆଦି ସ୍ଥାନରେ ତପମାତ୍ରା ୪୪ ଡିଗ୍ରୀ ଛୁଇଁଛି । ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର । ତାପମାତ୍ରା ୪୪ ଡିଗ୍ରୀ ତଳକୁ ଖସୁନାହିଁ I ଖରାର ପ୍ରକୋପ ଏତେ ଯେ ଗାଡିର ବନେଟ୍ରେ ରୁଟି ତିଆରି ହୋଇଯାଉଛି I
ସକାଳ ୯ ଟାରୁ ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଜରୁରୀ କାମ ପାଇଁ ଆସୁଥିବା ଲୋକ ମୁଣ୍ଡରେ ଗାମୁଛା, କଳା ଚଷମା , ଟୋପି ଆଦି ପିନ୍ଧି ବାହାରୁଛନ୍ତି । ଥଣ୍ଡା ପାଣି, ଲସି ସରବତ ଦୋକାନରେ ଭିଡ ଦେଖିବାକୁ ମିଳୁଛି। ଅନ୍ୟପଟେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମାନ ସ୍ଥିତ ବି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ସେପଟେ କାଳବୈଶାଖୀ ପାଇଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଘସିପୁରା ଠାରେ ସର୍ବାଧିକ ୬୨.୧ ମିଲିମିଟର, ଯାଜପୁର କୋରେଇରେ ୫୬.୨, ଦାନାଗାଦିରେ ୫୬, ଭୁବନେଶ୍ବରରେ ୩୬.୨, କଟକରେ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ଆସିବା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ଏଭଳି ରହିବ । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।ବାୟୁମଣ୍ଡଳ ଉପରି ଭାଗରେ ଦକ୍ଷିଣପଶ୍ଚିମ ଉତ୍ତରପ୍ରଦେଶରୁ ଝାଡ଼ଖଣ୍ଡ ଯାଏ ଏକ ଟ୍ରପ ଲାଇନ୍ ଅଛି। ଓଡିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ହେବ। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ।