
ଯେଉଁଭଳି ଭାବେ କରୋନା ବଢି ବଢ଼ି ଚାଲିଛି ଏଭଳି ସ୍ଥିତିରେ ସ୍କୁଲ କଲେଜ ବନ୍ଦ ହେଉଛି। ନାଇଟ କର୍ଫ୍ୟୁ ଲାଗୁଛି। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ପଞ୍ଚାୟତ ନିର୍ବାଚନକୁ କିଛି ଦିନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେବେ କି ରାଜ୍ୟ ନିର୍ବାଚନ କମିଶନ। କଂଗ୍ରେସ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇ ଦେବା ଦରକାର ବୋଲି ମତ ଦେଇଥିବା ବେଳେ ବିଜେପି କହିଛି ନିର୍ବାଚନ କମିଶନ ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ସେପଟେ ବିଜେଡି କହିଛି ନିର୍ବାଚନ କେବେ ହେବ ସେ ନିଷ୍ପତି ନେବେ ରାଜ୍ୟ ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନ ହେବ ନା ହେବନି । ଦିନକୁ ଦିନ କୋଭିଡ ସଂକ୍ରମଣ ହୁ ହୁ ହେଇ ବଢିଚାଲିଛି। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନକୁ ଆୟୋଜନ କରାଯିବ ନା ନିର୍ବାଚନ କମିଶନ ଘୁଞ୍ଚାଇବା ଲାଗି ନିଷ୍ପତ୍ତି ନେବେ। ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ପିକରୁ କମିବା ଆରମ୍ଭ କରିବ ବୋଲି ଆକଳନ କରାଯାଉଥିବାରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ୩ରୁ ୪ ମାସ ଘୁଞ୍ଚାଇ ଦେବେ କି କମିଶନ । କରୋନାର ଲମ୍ବା ଡିଆଁ ଦେଖି ଏଭଳି ଚର୍ଚ୍ଚା ଆରମ୍ଭ ହେଲାଣି । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଭଳି କିଛି ବଡ ନେତା ତ ଖୋଲା ଖୋଲି କହିଲେଣି ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇ ଦେବା ଦରକାର ।
ନହେଲେ ଅନେକ ଜୀବନ ଜୀବିକା ଅକଳରେ ପଡିପାରେ । ଏପଟେ ବିଜେପି ମଧ୍ଯ କହିଲାଣି ତୃଣମୁଳ ସ୍ତରରେ ନିର୍ବାଚନ ହେଉଥୁବାରୁ ଲୋକଙ୍କ ଗହଳି ଉପରେ ରୋକ ଲଗାଇବା ସମ୍ଭବପର ହେଇନପାରେ । ତେଣୁ ନିର୍ବାଚନ କମିଶନ ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ସେପଟେ ବିଜେଡି ୫ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ପୌରପଞ୍ଚାୟତ ନିର୍ବାଚନ ଉପରେ ନଜର ରଖିଛି। ତେଣୁ ନିର୍ବାଚନ କମିଶନ ଯାହା ନିଷ୍ପତ୍ତି ନେବେ ତାହାହଁ ପାଳନ କରାଯିବ ବୋଲି କହିଛି। ୧୦ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଡାକିଛନ୍ତି ସର୍ବଦଳୀୟ ବୈଠକ । ଏଥିରେ ପଞ୍ଚାୟତ ନିର୍ବାଚନ କିଭଳି ଅବାଧ ଓ ମୁକ୍ତ କରାଯାଇପାରିବ ତା ଉପରେ ଆଲୋଚନା ହେବ । ନିର୍ବାଚନ ହେଲେ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଶେଷ ହେବା ନେଇ ଯୋଜନା ରହିଛି। ଯେଉଁସମୟ ମଧ୍ୟରେ କରୋନାର ଝଡ଼ ମଧ୍ୟ ଜାରି ରହିଥିବ। ଏଭଳି ସ୍ଥିତିରେ ଗ୍ରାଉଣ୍ଡରେ ଭାବି ପ୍ରାର୍ଥୀ ଏବଂ ଜନ ସାଧାରଣ ଦ୍ବନ୍ଦ୍ବରେ ରହିଛନ୍ତି। କୋଭିଡ ସ୍ଥିତି ମଧ୍ୟରେ ପଶ୍ଚିମବଙ୍ଗରେ ହେବାକୁ ଥିବା ପୌର ନିର୍ବାଚନ କେମିତି ହେବ ସେନେଇ କଲିକତା ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ତଲବ କରିଛନ୍ତି। ୨୨ ଜାନୁଆରୀରେ ୪ଟି ପୌର ପରିଷଦର ନିର୍ବାଚନ ହେବାର ଅଛି। ତେଣୁ ୧୧ ତାରିଖରେ କୋର୍ଟ ଏ ବାବଦରେ ରାୟ ଶୁଣାଇବେ।