Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଖରାରେ ସିଝୁଛି ସାରା ଓଡିଶା

ଆହୁରି ଛଟପଟ କରିବ ତାତି

ରାଜ୍ୟ ତମାମ ଏବେ ପ୍ରବଳ ଗରମ । ପାଣିପାଗ ବିଭାଗ ଚେତାଇ ଦେଲାଣି, ତାତି ଆହୁରି ବଢ଼ିବ । ଗୁରୁବାରଠାରୁ ଅସମ୍ଭାଳ ହେବ ଗ୍ରୀଷ୍ମର ଜ୍ୱାଳା । ପାରଦ ଆହୁରି ୨-୩ ଡିଗ୍ରୀ ବଢ଼ିବ । କାଳବୈଶାଖୀ ସମ୍ଭାବନା ବି ଦେଖାଯାଉନି ଆସନ୍ତା ୩ ଦିନ ଭିତରେ । ଏଥିରୁ ଅନୁମାନ କରାଯାଇପାରେ, ଆସନ୍ତା ୩ ଦିନ କିଭଳି ଅସ୍ୱାଭାବିକ ଗରମ ଅନୁଭୂତ ହେବ। ଗ୍ରୀଷ୍ମର ନିଷ୍ଠୁର ରାଜୁତି ଆରମ୍ଭ ହୋଇଯାଇଛି । ଭୀଷଣ ତାତି ଅସ୍ତବ୍ୟସ୍ତ କଲାଣି । ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିରେ ଛଟପଟ ଜନଜୀବନ । ବଲାଙ୍ଗିର ସମେତ ରାଜ୍ୟର ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କେନ୍ଦ୍ରୀୟ ଭାରତ ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବା ଯୋଗୁ ଉତ୍ତର ଭାରତ ପଟୁ ଓଡ଼ିଶାକୁ ଶୁଷ୍କ ପବନ ପ୍ରବାହ ବଢ଼ିବ । ଏହା ତାପମାତ୍ରାକୁ ଆହୁରି ବଢ଼ାଇବ । ବୁଧବାରଠାରୁ ସାରା ଓଡ଼ିଶାରେ ଦିନ ତାପମାତ୍ରା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେବ । ୩ ଦିନ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ବର୍ତ୍ତମାନ ବର୍ଷା ସମ୍ଭାବନା ନାହିଁ । ପ୍ରତିଦିନ ପାଗ ଖରାଟିଆ ଓ ଶୁଖିଲା ରହିବ । ବୁଧବାର ବୌଦ୍ଧ, ସୋନପୁର, ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବା ଆଶଙ୍କା ଅଛି । ଗୁରୁବାର ଓ ଶୁକ୍ରବାର ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ଅନୁଗୁଳ ଏବଂ ସମ୍ବଲପୁରରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବା ସମ୍ଭାବନା ଅଛି ।

ଶ୍ରୀ ଦାସଙ୍କ ଆକଳନ ଅନୁଯାୟୀ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗରମରୁ ଆଶ୍ୱସ୍ତି ସମ୍ଭାବନା କମ୍‌ । ଅଧିକ ତାତି ଅନୁଭୂତ ହେବ ପଶ୍ଚିମ ଓ ପାଖ ଆଭ୍ୟନ୍ତରୀରଣ ଜିଲ୍ଲାଗୁଡ଼ିକରେ । ଉପକୂଳ ଓଡ଼ିଶାରେ ତାତି ୩୯-୪୦ ଡିଗ୍ରୀ ପାଖାପାଖି ପହଞ୍ଚିପାରେ ୧ ତାରିଖବେଳକୁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ବଲାଙ୍ଗିର ପଛକୁ ବାରିପଦା ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ, ଅନୁଗୁଳ ୪୦.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୫, ସୋନପୁର ୪୦.୧, ବୌଦ୍ଧ ୪୦, ବାରିପଦା ୪୦.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା ।

Show More

Related Articles

Back to top button