
୩୧ ବର୍ଷୀୟ ରହମାନ ମମତାଙ୍କ ଘର ପାଖକୁ ଆସୁଥିଲା ଓ ମମତାଙ୍କ ଘରର ଫଟୋ ନିଜ ଫୋନ୍ କ୍ୟାମେରାରେ କଏଦ କରୁଥିଲା। ରହମାନ ଉତ୍ତର ୨୪ ପ୍ରଗଣା ନାରାୟଣପୁରର ବାସିନ୍ଦା ଓ ସେ ମମତାଙ୍କ ଘରର ଫଟୋ ହ୍ୱାଟସଆପରେ ଅନେକ ଲୋକଙ୍କୁ ସେୟାର କରିଛି। ଅଦାଲତ ରହମାନକୁ ଜୁଲାଇ ୧୮ ପର୍ଯ୍ୟନ୍ତ ପୋଲିସ ହେପାଜତରେ ପଠାଇଦେଇଛି। ଅଭିଯୁକ୍ତ ବିରୋଧରେ ପୋଲିସ ଅପରାଧିକ ଷଡ଼ଜନ୍ତ୍ର ଧାରା ମଧ୍ୟ ଲଗାଇଛି। ଅନ୍ୟ ରାଜ୍ୟ ଓ ବାଂଲାଦେଶ ସହିତ ଅଭିଯୁକ୍ତର ସମ୍ପୃକ୍ତି ରହିଛି ବୋଲି ପୋଲିସ କହିଛି।
ପୋଲିସ କହିଛି ଯେ ଏହା ପୂର୍ବରୁ ରହମାନ ହାଓଡ଼ା ରାଜ୍ୟ ସଚିବାଳୟ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲା। ସେଥିପାଇଁ ପୂର୍ବରୁ ତାକୁ ଦୁଇ ଥର ଗିରଫ କରାଯାଇଛି। ମମତା ବାନାର୍ଜୀଙ୍କୁ ଦେଖା କରିବା ପାଇଁ ମମତାଙ୍କ ଘରକୁ ପସିଥିଲା ବୋଲି ରହମାନ କହିଛି। ଅନ୍ୟପଟେ ରହମାନର ମାନସିକ ଅବସ୍ଥା ଠିକ୍ ନାହିଁ ବୋଲି ରହମାନର ପରିବାର ଦାବି କରିଛନ୍ତି। କିନ୍ତୁ ତଦନ୍ତକାରୀ ଅଧିକାରୀମାନେ ଏହି କଥା ସ୍ୱୀକାର କରୁନାହାନ୍ତି। ଅଦାଲତରେ ଥିବା ଜଣେ ଓକିଲଙ୍କ ଅନୁସାରେ ରହମାନ ପାଖରୁ ୧୧ଟି ସିମ୍ କାର୍ଡ ଜବତ ହୋଇଛି ବୋଲି ପୋଲିସ କହିଛି। ସେଥି ମଧ୍ୟରୁ କିଛି ବାଂଲାଦେଶ ସିମ୍ କାର୍ଡ ମଧ୍ୟ ରହିଛି। ଗତବର୍ଷ ଦଶହରା ସମୟରେ ରହମାନ୍ ବାଂଲାଦେଶ ଯାଇଥିଲା ବୋଲି ଅଦାଲତରେ କୁହାଯାଇଛି। ରହମାନ୍ କିଛି ଛୋଟ ପିଲାମାନଙ୍କୁ ଚୋକୋଲେଟ୍ ଓ କୋଲ୍ଡଡ୍ରିଙ୍କସ୍ ଦେଇ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା ବୋଲି କୋର୍ଟରେ ପ୍ରକାଶ କରାଯାଇଛି। ଏହା ଛଡ଼ା ରହମାନ୍ ପ୍ରତ୍ୟକ କୋଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରର ଫଟୋ ନେଇଥିଲା ସେଥିପାଇଁ ସନ୍ଦେହ ଏବେ ଅଧିକ ଘନିଭୂତ ହେଉଛି।