ଓଡ଼ିଶାମୁଖ୍ୟ ଖବର

ଫୁଲୁଛି ସୁବର୍ଣ୍ଣରେଖା ଓ ବୈତରଣୀ

୨୪ରେ ଆଉ ଏକ ଲଘୁଚାପ, ୨୬ରୁ ବଢିବ ବର୍ଷା

ଲଘୁଚାପଜନିତ ବର୍ଷା ପରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିଛି । ଲଗାତାର ବିପଦ ସଙ୍କେତ ଉପରେ ରହୁଥିବା ଜଳକା ଆହୁରି ଉଛୁଳି ବିଭିନ୍ନ ସ୍ଥାନରେ ବନ୍ଧ ଭାଙ୍ଗି ଗାଁରେ ପଶିଛି । ସୁବର୍ଣ୍ଣରେଖା ଓ ବୈତରଣୀ ମଧ୍ୟ ଫୁଲିବାରେ ଲାଗିଛି । ସୁବର୍ଣ୍ଣରେଖା ରାଜଘାଟରେ ସତର୍କ ସଙ୍କେତ ଉପରେ ଥିବାବେଳେ ବୈତରଣୀ ଜଳସ୍ତର ଆଖୁଆପଦାରେ ସତର୍କ ସଙ୍କେତ ଟପିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଗକୁ ଆହୁରି ବର୍ଷା ଆସିଛି । ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ । ମାତ୍ର ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ । ତା’ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ (୨୬ ତାରିଖବେଳକୁ) ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ଏହା ପ୍ରଭାବରେ ୨୬ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ପ୍ରବଳ ବର୍ଷା ଲାଗି ରହିବ । ବର୍ତ୍ତମାନର ଆକଳନ କହୁଛି, ଗୁରୁବାର ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପ୍ରବଳ ବର୍ଷା ସମ୍ଭାବନା କମ୍‌ । ଶୁକ୍ରବାର ବିଶେଷ ବର୍ଷା ହେବନି । ୨୫ରୁ ବର୍ଷା ବଢ଼ିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୬ରୁ ବର୍ଷା ପ୍ରକୋପ ଆହୁରି ବଢ଼ିଯିବ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ଛେଚିବ ।

ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ କେତେକ ନଦୀର ଜଳସ୍ତର ବଢ଼ିଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ମଥାନୀରେ ସନ୍ଧ୍ୟା ୬ଟାରେ ଜଳକା ଜଳସ୍ତର ୭ ମିଟର ଥିଲା । ଏଠି ବିପଦ ସଙ୍କେତ ସ୍ତର ୫.୫୦ ମିଟର । ଲଗାତାର ସପ୍ତାହେରୁ ଅଧିକ ଦିନ ହେବ ଜଳକା ଜଳସ୍ତର ଖସୁନି । ସୁବର୍ଣ୍ଣରେଖା ଜଳସ୍ତର ସନ୍ଧ୍ୟା ୬ଟାରେ ରାଜଘାଟରେ ୧୦.୦୨ ମିଟରରେ ଥିଲା । ଏଠାରେ ସତର୍କ ସଙ୍କେତ ୯.୪୫ ମିଟର ହୋଇଥିବାବେଳେ ବିପଦ ସଙ୍କେତ ୧୦.୩୬ ମିଟର । ପାଣି ବଢ଼ୁଥିବାରୁ ରାତି ଭିତରେ ଜଳସ୍ତର ବିପଦ ସଙ୍କେତ ଡେଇଁପାରେ । ବୈତରଣୀ ଜଳସ୍ତର ସତର୍କ ସଙ୍କେତ (୧୭.୩୩ ମିଟର) ଟପି ୧୭.୩୪ ମିଟରରେ ପ୍ରବାହିତ ହେଉଥିଲା ସନ୍ଧ୍ୟା ୬ଟାରେ । ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର । ଦିନ ୧୨ଟାରୁ ଜଳସ୍ତର ପ୍ରାୟତଃ ସ୍ଥିର ଅଛି ।

Show More

Related Articles

Back to top button